Categories: ଜାତୀୟ

କଶ୍ମୀର ନିର୍ବାଚନରେ ହେଜ୍‌ବୋଲ୍ଲା ତାତି

ଜମ୍ମୁ/ଶ୍ରୀନଗର,୧।୧୦: ଜମ୍ମୁ-କଶ୍ମୀର ବିଧାନସଭାର ୯୦ ଆସନ ମଧ୍ୟରୁ ପ୍ରଥମ ୨ଟି ପର୍ଯ୍ୟାୟରେ ୫୦ ଆସନରେ ନିର୍ବାଚନ ଶେଷ ହୋଇଥିବାବେଳେ ମଙ୍ଗଳବାର ଅବଶିଷ୍ଟ ୪୦ ଆସନରେ ଭୋଟ ଗ୍ରହଣ କରାଯିବ। ରବିବାର ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହୋଇଥିଲେ ହେଁ ହେଜ୍‌ବୋଲ୍ଲା ମୁଖ୍ୟ ହସନ୍‌ ନସ୍‌ରୁଲ୍ଲାଙ୍କ ହତ୍ୟାକୁ ନେଇ ଉପତ୍ୟକାରେ ଉତ୍ତେଜନା ଲାଗିରହିଛି। ଏହାକୁ ନେଇ ପୋଲିସ ପ୍ରଶାସନ ଓ ସେନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ପରେ ୭ ଜିଲାର ୪୦ ଆସନରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଥିବାରୁ ୨୦,୦୦୦ ପୋଲିଂ ଷ୍ଟାଫ୍‌ଙ୍କୁ ସୋମବାର ନିୟୋଜିତ କରାଯାଇଛି। ୩୯.୧୮ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର ମଇଦାନରେ ଥିବା ୨ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦ ଓ ମୁଜାଫର ବେଇଗ୍‌ଙ୍କ ସମେତ ୪୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥିପାଇଁ ଜମ୍ମୁ ଅଞ୍ଚଳର ଜମ୍ମୁ, ଉଧମପୁର, ସାମ୍ବା ଓ କଠୁଆ ଏବଂ କଶ୍ମୀର ଅଞ୍ଚଳର ବାରାମୁଲା, ବାନ୍ଦିପୋରା, କୁପ୍‌ଓ୍ବାରା ଓ ଉତ୍ତର କଶ୍ମୀରର ୫,୦୬୦ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଆତଙ୍କବାଦମୁକ୍ତ ଓ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବା ଅତିରିକ୍ତ ପୋଲିସ ଡିଜି (ଜମ୍ମୁ) ଆନନ୍ଦ ଜୈନ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୮ ଏବଂ ୨୬ରେ ଅନୁଷ୍ଠିତ ପ୍ରଥମ ଦୁଇଟି ପର୍ଯ୍ୟାୟରେ ଯଥାକ୍ରମେ ୬୧.୩୮% ଓ ୫୭.୩୧% ମତଦାନ ହୋଇଥିଲା।

Share