ହିଜବୁଲ ପରବର୍ତ୍ତୀ ଟାର୍ଗେଟ: ଲେବାବନ ସୀମାରୁ ନାଗରିକଙ୍କୁ ହଟାଇଲା ଇସ୍ରାଏଲ…

ଜେରୁଜେଲମ,୧୬।୧୦ : ହମାସ ପରେ ଏବେ ଇସ୍ରାଏଲ ହିଜବୁଲକୁ ଟାର୍ଗେଟ କରିଛି। ଲିବାନନ ସହିତ ଏହାର ସୀମାରୁ ସାଧାରଣ ନାଗରିକମାନଙ୍କୁ ବାହାର କରିବା କାର୍ଯ୍ୟ ଇସ୍ରାଏଲ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି। ଲେବାନନ ସୀମା ମଧ୍ୟରେ ଥିବା ଦୁଇ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳରେ ରହୁଥିବା ୨୮ ସମ୍ପ୍ରଦାୟକୁ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ଅଞ୍ଚଳରେ ସରକାରୀ ଗେଷ୍ଟ ହାଉସରେ ରଖିବା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ଗତ କିଛି ଦିନ ମଧ୍ୟରେ ଗାଜା ଷ୍ଟ୍ରିପ ବ୍ୟତୀତ ଲେବାନନରୁ ମଧ୍ୟ ଇସ୍ରାଏଲ ଉପରେ ରକେଟ ମାଡ ହୋଇଥିଲା। ଇସ୍ରାଏଲ କହିଛି ଏହି ଆକ୍ରମଣଗୁଡିକ ଇରାନ ସମର୍ଥିତ ହିଜବୁଲ ସଂଗଠନ ଦ୍ୱାରା କରାଯାଇଛି ଏବଂ ସେମାନଙ୍କୁ ଉପଯୁକ୍ତ ଜବାବ ଦିଆଯିବ। ଏଭଳି ପରିସ୍ଥିତିରେ ଇସ୍ରାଏଲର ସର୍ବଶେଷ ପଦକ୍ଷେପ ହିଜବୁଲ ପାଇଁ ଚେତାବନୀ ଭାବରେ ଦେଖାଯାଉଛି।

ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରଣାଳୟର ଜରୁରୀକାଳୀନ ପରିଚାଳନା ସେବା କହିଛି ଲେବାନନ ସୀମାରୁ ଲୋକଙ୍କୁ ସାମରିକ ବାହିନୀ ସ୍ଥାନାନ୍ତର କରିବା ଆରମ୍ଭ କରିଛନ୍ତି। ଏହାପୂର୍ବରୁ ଲେବାନନ ସୀମାରୁ ହୋଇଥିବା ଆକ୍ରମଣରେ ଜଣେ ଇସ୍ରାଏଲ ନାଗରିକଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ କେତେକ ଆହତ ହୋଇଥିବା ସୂଚନା ମିଳିଛି। ଏହା ପରେ ଇସ୍ରାଏଲ ବାୟୁସେନା କହିଛି ଏହା ଲିବାନନରେ କିଛି ହିଜବୁଲ ଶିବିର ଉପରେ ବୋମାମାଡ଼ କରିଛି।

ସୂଚନାଯୋଗ୍ୟ, ହିଜବୁଲ ହେଉଛି ଏକ ଆତଙ୍କବାଦୀ ସଂଗଠନ। ଏହା ଲେବାନନର ସକ୍ରିୟ ରହିଛି। ୧୯୭୫ରୁ ୧୯୯୦ପର୍ଯ୍ୟନ୍ତ ଚାଲିଥିବା ଲେବାନନ ଗୃହଯୁଦ୍ଧ ସମୟରେ ଏହି ସଂଗଠନର ସୃଷ୍ଟି ହୋଇଥିଲା। ଏହା ୧୯୮୨ ମସିହାରେ ଇରାନର ରିଭୋଲ୍ୟୁନାରୀ ଗାର୍ଡସ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଏହାର ଲକ୍ଷ୍ୟ ଥିଲା ଇରାନରେ ଇସଲାମିକ ବିପ୍ଳବକୁ ଅନ୍ୟ ଦେଶରେ ବିସ୍ତାର କରିବା ଏବଂ ଲେବାନନରେ ଯୁଦ୍ଧ କରୁଥିବା ଇସ୍ରାଏଲ ସୈନ୍ୟଙ୍କ ବିରୁଦ୍ଧରେ ଏକ ସଂଗଠନ ଗଠନ କରିବା।

ଆମେରିକାର ଜାତୀୟ ଆତଙ୍କବାଦ ନିରୋଧୀ କେନ୍ଦ୍ର (ଏନସିଟିସି) ଅନୁଯାୟୀ ହିଜବୁଲ ୧୯୮୩ ମସିହା ଏପ୍ରିଲ ମାସରେ ବେରୁଟରେ ଥିବା ଆମେରିକାର ଦୂତାବାସରେ ଆତ୍ମଘାତୀ ଟ୍ରକ ବିସ୍ଫୋରଣ କରିଥିଲା। ଅକ୍ଟୋବର ୧୯୮୩ରେ ବେରୁଟରେ ଆମେରିକାର ସାମୁଦ୍ରିକ ବ୍ୟାରେକ ଏବଂ ବେରୁଟରେ ଆମେରିକାର ଦୂତାବାସ ଭଳି ଅନେକ ଆତଙ୍କବାଦୀ ଆକ୍ରମଣରେ ଏହି ସଂଗଠନର ସମ୍ପୃକ୍ତି ଥିଲା। ସେପ୍ଟେମ୍ବର ୧୯୮୪ରେ ହୋଇଥିବା ଆକ୍ରମଣରେ ସଂଗଠନ ଅନ୍ତର୍ଭୁକ୍ତ ଥିଲା। ଏହା ସହିତ, ୧୯୮୫ରେ ଟିଡବ୍ଲୁଏ ୮୪୭ ବିମାନର ଅପହରଣ ଏବଂ ୧୯୯୬ ରେ ସାଉଦି ଆରବରେ ଖୋବାର ଟାୱାର ଉପରେ ଆକ୍ରମଣ ମଧ୍ୟ ଏହି ସଂଗଠନ ଦ୍ୱାରା କରାଯାଇଥିଲା।

Share