ଗୋଟିଏ ସପ୍ତାହରେ ହେଜ୍‌ବୋଲ୍ଲାର ସପ୍ତମ କମାଣ୍ଡର ନିହତ

ବେରୁଟ୍‌,୩୦।୯: ହେଜ୍‌ବୋଲ୍ଲା ମୁଖ୍ୟ ସୟିଦ ହସନ ନାସରାଲ୍ଲାଙ୍କ ମୃତ୍ୟୁ ପରେ ମଧ୍ୟ ଲେବାନନରେ ଇସ୍ରାଏଲର ଆକ୍ରମଣ ବନ୍ଦ ହେଉନାହିଁ। ରବିବାର ମଧ୍ୟ ଇସ୍ରାଏଲ ଲେବାନନରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ କରିଥିଲା। ଏଥିରେ ୧୦୫ଜଣ ଲୋକ ପ୍ରାଣ ହରାଇଛନ୍ତି। ଲେବାନନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏୟାର ଷ୍ଟ୍ରାଇକରେ ୩୫୯ଜଣ ଆହତ ହୋଇଛନ୍ତି। ସର୍ବାଧିକ ମୃତ୍ୟୁ ସଂଖ୍ୟା ଏନ ଅଲ-ଡେଲବ ଏବଂ ସୋର ଅଞ୍ଚଳରେ ୪୮ ଜଣଙ୍କ ମୃତ୍ୟୁ ଘଟିଛି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ କାନା ହସ୍ପିଟାଲରେ ବ୍ୟାପକ କ୍ଷତି ହୋଇଛି। ଏହା ବ୍ୟତୀତ ବେକା ଉପତ୍ୟକାର ବାଲବେକ-ହରମେଲରେ ଇସ୍ରାଏଲ ଆକ୍ରମଣରେ ୩୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୭ଜଣ ଆହତ ହୋଇଥିଲେ। ଇସ୍ରାଏଲ ପ୍ରଥମ ଥର ପାଇଁ ଲିବାନନର କୋଲା ଅଞ୍ଚଳରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ କରିଥିଲା। ଲେବାନନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲ ଯୁଦ୍ଧ ବିମାନ କ୍ରମାଗତ ଭାବରେ ସାରା ଦେଶରେ ଏୟାର ଷ୍ଟ୍ରାଇକ କରୁଛି।
ବେରୁଟ୍‌ର କୋଲା ଜିଲାରେ ହୋଇଥିବା ଏୟାର ଷ୍ଟ୍ରାଇକରେ ପାଲେଷ୍ଟାଇନ ଲିବରେସନ ଫ୍ରଣ୍ଟର ତିନିଜଣ ନେତା ମଧ୍ୟ ନିହତ ହୋଇଛନ୍ତି। ଏହା ବ୍ୟତୀତ ଇସ୍ରାଏଲ ସୈନ୍ୟବାହିନୀ ବେକା ଉପତ୍ୟକାରେ ହେଜ୍‌ବୋଲ୍ଲାର ଡଜନେ ଶିବିର ଉପରେ ଆକ୍ରମଣ କରିଥିଲେ। ହେଜ୍‌ବୋଲ୍ଲା ଅସ୍ତ୍ରଶସ୍ତ୍ର ଡିପୋକୁ ଟାର୍ଗେଟ କରିବ ବୋଲି ଇସ୍ରାଏଲ ସେନା କହିଛନ୍ତି। ଲେବାନନ ସରକାରଙ୍କ ଅନୁଯାୟୀ, ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଏପର୍ଯ୍ୟନ୍ତ ୧୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏବଂ ୬,୦୦୦ ଲୋକ ଆହତ ହୋଇଛନ୍ତି।

ରବିବାର ପଶ୍ଚିମ ୟେମେନରେ ଦ୍ୱିତୀୟ ଥର ପାଇଁ ଇସ୍ରାଏଲ ବାୟୁସେନା ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ କରିଥିଲା। ଏହି ଆକ୍ରମଣ ହୁଟି ବିଦ୍ରୋହୀଙ୍କ ବାଲିଷ୍ଟିକ କ୍ଷେପଣାସ୍ତ୍ରର ଜବାବରେ ଇସ୍ରାଏଲ ଦ୍ୱାରା କରାଯାଇଥିଲା। ଏହି ଆକ୍ରମଣରେ ୪ଜଣ ପ୍ରାଣ ହରାଇଛନ୍ତି ଏବଂ ୨୯ ଜଣ ଆହତ ହୋଇଛନ୍ତି। ଏହାପୂର୍ବରୁ ଜୁଲାଇରେ ମଧ୍ୟ ଇସ୍ରାଏଲ ୟେମେନର ହୋଡିଡା ବନ୍ଦରକୁ ଟାର୍ଗେଟ କରିଥିଲା।
ବଙ୍କରରୁ ହେଜ୍‌ବୋଲ୍ଲା ମୁଖ୍ୟ ହାସନ ନାସରାଲ୍ଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ଦେଖିବାକୁ ମିଳି ନ ଥିଲା। ସୂଚନାଯୋଗ୍ୟ, ୨୭ ସେପ୍ଟେମ୍ବର ଶୁକ୍ରବାର ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନାସରାଲ୍ଲାଙ୍କର ମୃତ୍ୟୁ ଘଟିଛି। ହେଜ୍‌ବୋଲ୍ଲାର ମୁଖ୍ୟାଳୟକୁ ଇସ୍ରାଏଲ ଟାର୍ଗେଟ କରିଥିଲା।
ଇସ୍ରାଏଲ ସେନା ଅନୁଯାୟୀ ହେଜ୍‌ବୋଲ୍ଲା ମୁଖ୍ୟ ହସନ ନାସରାଲ୍ଲାଙ୍କ ସହ ସଂଗଠନର ଅନ୍ୟ ୨୦ ଜଣ ସଦସ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି। ଏହାପୂର୍ବରୁ ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଅନ୍ୟ ଅନେକ କମାଣ୍ଡୋଙ୍କୁ ହତ୍ୟା କରିଛି। ସେମାନଙ୍କ ମଧ୍ୟରେ ପ୍ରମୁଖ ନାମ ହେଉଛି ଫୁଏଡ ଶୁକର ଏବଂ ଇବ୍ରାହିମ ଆକିଲ।
ଇସ୍ରାଏଲ ଏକ ସପ୍ତାହ ମଧ୍ୟରେ ହିଜବୁଲର ସପ୍ତମ କମାଣ୍ଡରଙ୍କୁ ହତ୍ୟା କରିଛି। ଏହି କମାଣ୍ଡରଙ୍କ ନାମ ଥିଲା ନବିଲ କୌକ। ନବିଲ ହେଜ୍‌ବୋଲ୍ଲାର କେନ୍ଦ୍ରୀୟ ପରିଷଦର ଡେପୁଟି ମୁଖ୍ୟ ଥିଲେ।
ଲେବାନନ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଖୁବ ଶୀଘ୍ର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହେବେ। ହାସନ ନସରାଲ୍ଲାଙ୍କ ମୃତ୍ୟୁ ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ବାର୍ତ୍ତାଳାପ ହେବ।

Share