ମାର୍ଚ୍ଚ ଆରମ୍ଭରୁ ହେଲାଣି ଅସହ୍ୟ, ୭ରୁ ଆହୁରି ତତେଇବ

ଭୁବନେଶ୍ୱର,୩ା୩(ଅନିଲ ଦାସ)-ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ଦିନରେ ପ୍ରଚଣ୍ଡ ଖରା ପରିବେଶକୁ ଉତ୍ତପ୍ତ କଲାଣି। ସକାଳୁ ସଞ୍ଜଯାଏ ତାତି ନିସ୍ତାର ନାହିଁ। ତାତି ଆହୁରି କଲବଲ କରିବ। ପାରଦ ଉପରମୁହଁା ହୋଇ ଚାଲିଛି। ମାର୍ଚ୍ଚ ଆରମ୍ଭରୁ ଗ୍ରୀଷ୍ମର ପ୍ରକୋପ ଅସହ୍ୟ ହେଲାଣି। ଗତ ଦୁଇ/ତିନି ଦିନରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇଲାଣି। ରାଜ୍ୟର ୭ଟି ସହରରେ ଦିନର ତାପମାତ୍ରା ୩୬ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ମାଲକାନଗିରି ୩୬.୯, ଅନୁଗୋଳ ୩୬.୧, ବଲାଙ୍ଗୀର ୩୬.୮, ଟିଟିଲାଗଡ଼ ୩୬.୧, ସୋନପୁର ୩୬.୧ ଏବଂ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।
ମାର୍ଚ୍ଚ ୭ରୁ ପାରଦ ଆହୁରି ଉପରମୁହଁା ହେବା ସହ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ନିକଟତର ହେବ। ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀକୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଉଛି। ଏପ୍ରିଲ ଓ ମେ’ ମାସରେ ପ୍ରଚଣ୍ଡ ଗ୍ରୀଷ୍ମ ସମଗ୍ର ରାଜ୍ୟକୁ ଉତ୍ତପ୍ତ କରି ରଖିବ। ଏହି ୨ ମାସରେ ତାପମାତ୍ରା ୪୦ରୁ ୪୫ ଡିଗ୍ରୀକୁ ଛୁଇଁବା ସମ୍ଭାବନା ରହିଛି । କେତେକ ସ୍ଥାନରେ ଏହା ଉପରକୁ ଯାଇପାରେ ବୋଲି ପାଣିପାଗ ବିଶାରଦ ଅନୁମାନ କଲେଣି। ତାତି ସ୍ବାଭାବିକଠାରୁ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକଠାରୁ ଅଧିକ ଗ୍ରୀଷ୍ମ ଲହର ଅନୁଭୂତ ହେବାର ସମ୍ଭାବନା ରହିଛି ।

Share