ହାଇଟେକ୍‌ ଟ୍ରାଜେଡି: ବିସ୍ଫୋରଣରେ ସ୍ବାମୀଙ୍କ ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ

ଭୁବନେଶ୍ୱର,୧ା୧: ରାଜଧାନୀର ପାଣ୍ଡରାସ୍ଥିତ ହାଇଟେକ୍‌ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ରବିବାର ଖୋର୍ଦ୍ଧା ଜିଲା ଜଟଣୀର ବଅଁଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ତାଙ୍କ ସ୍ତ୍ରୀ ସୁନା ଆତ୍ମହତ୍ୟା କରି ଦେଇଛନ୍ତି। ଏହି ଦୁଃଖଦ ଖବର ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ଦିଲ୍ଲୀପ ଓ ସୁନାଙ୍କ ବିବାହକୁ ୨ ବର୍ଷ ପୂରି ନ ଥିବା ବେଳେ ଦିଲ୍ଲୀପଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ ସ୍ତ୍ରୀ ସୁନା। ଗତକାଲି ସୁନାଙ୍କୁ ତାଙ୍କ ବାପଘର ଲୋକେ ନେଇ ଯାଇଥିଲେ। ତେବେ ନୂଆଗାଁସ୍ଥିତ ବାପଘରେ ଥିବା ସୁନା ଆଜି ସକାଳେ ଏକ କଠୋରି ଭିତରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି।

ପରିବାର ଲୋକଙ୍କଠାରୁ ଖବର ପାଇ ଜଟଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁନାଙ୍କୁ ଉଦ୍ଧାର କରି ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ  ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ଶୁକ୍ରବାର ହାଇଟେକ୍‌ ହସ୍ପିଟାଲ ହସ୍ପିଟାଲର ତୃତୀୟ ମହଲାରେ ଥିବା ଏସିରେ ଗ୍ୟାସ ଫିଲିଂ ବେଳେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ଲାଗିଥିବା ନିଆଁକୁ ସଙ୍ଗେ ସଙ୍ଗେ ଆୟତ୍ତ କରାଯାଇଥିଲା। ତେବେ ଏହି ଘଟଣାରେ ୪ଜଣ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦିଲ୍ଲୀପଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଗତକାଲି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

Share