ନିଜେ ଟଙ୍କା ଲୁଚାଇ ଥାନାରେ କରିଥିଲେ ଅଭିଯୋଗ

ଝରିଗାଁ,୯ା୧୦(ସ୍ବ.ପ୍ର.): ଘରୋଇ ଫାଇନାନ୍ସ କମ୍ପାନୀ ‘ସ୍ପନ୍ଦନା’ର ଉମରକୋଟ ଶାଖାର ଜଣେ କର୍ମଚାରୀ ଋଣ କିସ୍ତି ଟଙ୍କା ସଂଗ୍ରହ କରି ଫେରୁଥିବାବେଳେ ଦୁର୍ବୃତ୍ତମାନେ ମାଡ଼ ମାରି ୧ ଲକ୍ଷ ୧୭ ହଜାର ଟଙ୍କା ଚୋରି କରି ନେଇଥିବା ଶୁକ୍ରବାର ରାତିରେ ଝରିଗାଁ ଥାନାରେ ଅଭିଯୋଗ ହୋଇଥିଲା। କମ୍ପାନୀର କର୍ମଚାରୀ ହରିଶଙ୍କର ନାୟକ(୨୩) ଏ ନେଇ ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୋଗକାରୀ ହରିଶଙ୍କର ଏବଂ ତାଙ୍କର ଜଣେ ସହଯୋଗୀ ପ୍ରତାପ କେଶରୀ ନିହାଲ(୨୫)ଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ହରିଶଙ୍କର ଶୁକ୍ରବାର ଝରିଗାଁ ସଦର ଅଞ୍ଚଳର କେତେଜଣ ଏସ୍‌ଏଚ୍‌ଜି ସଦସ୍ୟାଙ୍କ ନିକଟରୁ ଋଣ କିସ୍ତି ବାବଦକୁ ଟଙ୍କା ସଂଗ୍ରହ କରି ସନ୍ଧ୍ୟା ୭ଟାରେ ଉମରକୋଟ ଫେରୁଥିଲେ। ଝରିଗାଁଠାରୁ ୧ କି.ମି. ଦୂର ବାଞ୍ଜିଆମ୍ବା ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରି ଆଦାୟ ହୋଇଥିବା ସମସ୍ତ ଟଙ୍କା ଲୁଟି ନେଇଥିବା କମ୍ପାନୀର ଶାଖା ପରିଚାଳକଙ୍କୁ ଜଣାଇଥିଲେ। ଶାଖା ପରିଚାଳକଙ୍କ ପରାମର୍ଶରେ ହରିଶଙ୍କର ଘଟଣା ବିଷୟରେ ପୋଲିସକୁ ଜଣାଇଥିଲେ। ଥାନା ଅଧିକାରୀ ନଟବର ନନ୍ଦ ଏବଂ ଏସ୍‌ଆଇ ପ୍ରମୋଦ କୁମାର ଖଣ୍ଡୁଆଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ପୋଲିସ ସନ୍ଦେହରେ ଅଭିଯୋଗକାରୀ ହରିଶଙ୍କରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ସେ ଏବଂ ତାଙ୍କ ସହଯୋଗୀ ତଥା ଉମରକୋଟ ଭଗବତୀନଗର ଅଞ୍ଚଳର ପ୍ରତାପ କେଶରୀ ନିହାଲ(୨୫) ମିଶି ଲୁଟ୍‌ ଯୋଜନା କରିଥିବା ଜଣାପଡ଼ିଥିଲା। ଶୁକ୍ରବାର ରାତିରେ ପୋଲିସ ପ୍ରତାପଙ୍କୁ ମଧ୍ୟ ଥାନାକୁ ଆଣି ପଚରାଉଚରାବେଳେ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ଫାଇନାନ୍ସ କମ୍ପାନୀର ଟଙ୍କା ଲୁଟ୍‌ କରିଥିବା ନେଇ କମ୍ପାନୀର ଶାଖା ପରିଚାଳକ କୈଳାଶ ବିଷୋୟୀ ଶନିବାର ଥାନାରେ ଅଭିଯୋଗ କରିବା ପରେ ଝରିଗାଁ ଥାନାରେ ୧୪୯/୨୧ରେ ଏକ ମାମଲା ରୁଜୁ ହୋଇଥିବା ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି।

Share