Advertisement

ପିସି ପାଇଁ ଫାଇଲ ଲୁଚାଇ ଦିଆଯାଉଛି

ଆନନ୍ଦପୁର,୪। ୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ହାଇଡ୍ରାମା ଦେଖିବାକୁ ମିଳିଥିଲା। ପୌର କାର୍ଯ୍ୟାଳୟରେ ୬ ନଂ. ଓ୍ବାର୍ଡର କାଉନ୍‌ସିଲର ମଣିଲତା ରାମଙ୍କ ପ୍ରତିନିଧି ଦେବବ୍ରତ ରାମ ମାଇକ୍‌ ଲଗାଇ ଦୁର୍ନୀତି ପେଡ଼ି ଖୋଲିଥିଲେ। ବିଗତ ଦିନରେ ଫାଇଲ ଗାଏବ ଘଟଣାକୁ ନେଇ ଡାକବାଜି ଯନ୍ତ୍ର ଯୋଗେ ପୌର କାର୍ଯ୍ୟାଳୟରେ ପିସି ପାଇଁ ଫାଇଲ ଲୁଚାଇ ଦିଆଯାଉଥିବା କହିଥିଲେ। ଏଥିସହ ବିଭିନ୍ନ ଯୋଜନା ଓ କାର୍ଯ୍ୟାଳୟରେ ଦୁର୍ନୀତି ହୋଇଥିବା ପ୍ରଚାର କରି ଏହାର ତଦନ୍ତ ଦାବି କରିଥିଲେ।
ଅଭିଯୋଗ ଅନୁଯାୟୀ, ଉନ୍ନୟମୂଳକ କାର୍ଯ୍ୟର ଫାଇଲ୍‌ ଗାଏବ ହେବା, ଆବାସ କାର୍ଯ୍ୟାଦେଶ ଦେବା ଏବଂ ଆବାସ କାର୍ଯ୍ୟାଦେଶ ବିଲ୍‌ ପାସ୍‌ ଆଳରେ କର୍ମଚାରୀମାନେ ଅର୍ଥ ଆଦାୟ କରୁଥିବା ଅଭିଯୋଗ ଆଣିଛନ୍ତି। ଏପରିକି ପୌର କାର୍ଯ୍ୟାଳୟର ଜନୈକ କର୍ମଚାରୀ ଫାଇନାଲ୍‌ ବିଲ୍‌ ପାସ୍‌ ବେଳେ ୨ ହଜାର ଟଙ୍କା ଅର୍ଥ ମାଗୁଥିବା ମଧ୍ୟ କହିଥିଲେ। ପିସି ପାଇଁ ଉନ୍ନୟନମୂଳକ ଫାଇଲକୁ ଲୁଚାଇ ଦିଆଯାଉଛି। କେତେବେଳେ ହଜିଯାଇଥିବା ଦର୍ଶାଯାଇ ସରକାରୀ ଅର୍ଥ ବାଟମାରଣା କରାଯିବା ଭଳି ଗୁରୁତର ଅଭିଯୋଗ କରିଛନ୍ତି। ପୌରପରିଷଦ ଅଧୀନ ବହୁ ହିତାଧିକାରୀ ୩ ମାସ ମଧ୍ୟରେ ଆବାସ ଘର କରି ବୋନସ ପାଉନାହାନ୍ତି। ବୋନସ୍‌ ପ୍ରଦାନ ପାଇଁ କର୍ମଚାରୀମାନେ ଅଧା ଅଧା ନୀତି ଆପଣାଉଛନ୍ତି। ୬ ନଂ. ଓ୍ବାର୍ଡ ପାଇଁ ବ୍ୟବହାର ହେଉଥିବା ଅଳିଆ ଉଠା ବ୍ୟାଟେରି ଚାଳିତ ଗାଡ଼ି ୬ ଦିନ ଧରି ଅଚଳ ଥିବା ବେଳେ ତାହା ମରାମତି କରାଯାଉନାହିଁ। କାର୍ଯ୍ୟାଳୟର ସିସିଟିଭି ନାମକୁ ମାତ୍ର ରହିଥିବା କହିଥିଲେ। ସମସ୍ତ ଦୁର୍ନୀତି ପ୍ରସଙ୍ଗ ଉପରେ ତଦନ୍ତ କଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଦୃଢ଼ତାର ସହ କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share