ସରକାରୀ ଡକ୍ୟୁମେଣ୍ଟ ଲୁଚାଇବା ମାମଲା: କୋର୍ଟରେ ହାଜର ହେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୧୪।୬:ରାଷ୍ଟ୍ରପତି ନିର୍ବାଚନ ହାରିବା ଏବଂ ହ୍ବାଇଟ୍‌ ହାଉସ୍‌ ଛାଡିବା ପରେ ଡୋନାଲ୍ଡ ଟ୍ରମ୍ପ ନିଜ ବାସଭବନରେ କ୍ଲାସିଫାଏଡ୍‌ ଡକ୍ୟୁମେଣ୍ଟ ଏବଂ ସରକାରୀ ରେକର୍ଡକୁ ଲୁଚାଇ ରଖିଥିବାର ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗିରଫ ହୋଇ ସେ ମିଆମି କୋର୍ଟରେ ହାଜର ହୋଇଛନ୍ତି। ପ୍ରାୟ ୪୫ମିନିଟ ଧରି ଚାଲିଥିବା ଶୁଣାଣି ସମୟରେ ଟ୍ରମ୍ପ ସମସ୍ତ ଅଭିଯୋଗକୁ ଅସ୍ବୀକାର କରି ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ତାଙ୍କ ଓକିଲ ଟ୍ରମ୍ପଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କୋର୍ଟରେ କହିଛନ୍ତି।

କୋର୍ଟରେ ଶୁଣାଣି ପରେ ଟ୍ରମ୍ପ ବେଡମିନିଷ୍ଟର ଗଲ୍ଫ କ୍ଲବରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ, ଆଜି ଆମେରିକାର ଇତିହାସରେ ପ୍ରଥମ ଥର ପାଇଁ ଏପରି ଘଯଣା ଘଟିଛି। ଯେତେବେଳେ ଜଣେ ରାଷ୍ଟ୍ରପତି ତାଙ୍କ କ୍ଷମତାର ଅପବ୍ୟବହାର କରିଛନ୍ତି। ରାଷ୍ଟ୍ରପତି ପଦରେ ବସିଥିବା ଜଣେ ଦୁର୍ନୀତିଗ୍ରସ୍ତ ନେତା ମିଥ୍ୟା ଅଭିଯୋଗ ଆଧାରରେ ତାଙ୍କର ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଗିରଫ କରିଥିଲେ। ଯଦିଓ ଏହି ଘଟଣାରେ ସେ ନିଜେ ଏବଂ ବହୁ ପୂର୍ବତନ ରାଷ୍ଟ୍ରପତି ଦୋଷୀ ଅଟନ୍ତି।

ମୁଁ ସବୁ ଠିକ କରିଥିଲି କିନ୍ତୁ ତଥାପି ସେମାନେ ମୋ ଉପରେ ଅପରାଧିକ ମାମଲା ରୁଜୁ କରିଥିଲେ। ଗୁପ୍ତଚର ଅଧିନିୟମ ଅନୁଯାୟୀ ମୋ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି। ଏହି ଚାର୍ଜସିଟ୍‌ ଗୁପ୍ତଚର ତଥା ଦେଶଦ୍ରୋହୀଙ୍କ ବିରୁଦ୍ଧରେ ବ୍ୟବହୃତ ହୁଏ, କୌଣସି ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ନୁହେଁ ବୋଲି ଟ୍ରମ୍ପ କହିଛନ୍ତି।

ଚାର୍ଜସିଟରେ ପ୍ରେସିଡେନ୍ସିଆଲି ରେକର୍ଡ ଆକ୍ଟ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇ ନାହିଁ ଯାହା ଏକ ସିଭିଲ୍‌ ଆକ୍ଟ ଅଟେ। ଜଣେ ପୂର୍ବତନ ରାଷ୍ଟ୍ରପତି ଭାବରେ ଏହି ଫାଇଲଗୁଡ଼ିକୁ ମୋ ପାଖରେ ରଖିବା ଏହା ମୋର ଆଇନଗତ ଅଧିକାର। ଏହା ବ୍ୟତୀତ ରାଷ୍ଟ୍ରପତି ଜୋ ବାଇଡେନ, ବିଲ କ୍ଲିଣ୍ଟନ ଏବଂ ହିଲାରୀ କ୍ଲିଣ୍ଟନ ଏଭଳି ଡକ୍ୟୁମେଣ୍ଟ ନେଇଥିବାର ଟ୍ରମ୍ପ ଅଭିଯୋଗ କରିଛନ୍ତି।

Share