Categories: ଜାତୀୟ

ଶ୍ରୀଲଙ୍କା ବିସ୍ଫୋରଣ ପରେ ବେଙ୍ଗାଲୁରରେ ହାଇ ଆଲର୍ଟ ଜାରି

ବେଙ୍ଗାଲୁର,୨୭।୪: ଶ୍ରୀଲଙ୍କାରେ ଗତ ୨୧ ତାରିଖରେ ହୋଇଥିବା ବିସ୍ଫୋରଣ ପରେ ବେଙ୍ଗାଲୁର ଓ ମୈସୂରୁରେ ହାଇ ଆଲର୍ଟ ଜାରି କରାଯାଇଛି। କର୍ନାଟକର ଦକ୍ଷିଣାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ବେଙ୍ଗାଲୁର ପୋଲିସ କମିଶନର ଟି ସୁନୀଲ କୁମାର କହିଛନ୍ତି, ଅନେକ ସମ୍ବେଦନଶୀଳ ଅଞ୍ଚଳ, ଧାର୍ମିକ ସ୍ଥଳ, ମାର୍କେଟ, ମଲ୍‌, ଶପିଂ ପ୍ଲାଜା, ମଲ୍ଟିପ୍ଲେକ୍ସ, ଏୟାରପୋର୍ଟ, ରେଲଓ୍ବେ ଷ୍ଟେଶନ, ବସ୍‌ ଟର୍ମିନାଲ ଓ ପବ୍ଲିକ୍‌ ପ୍ଲେସ୍‌ରେ ସୁରକ୍ଷା ବ୍ୟବସ୍ଥା କଡା କରାଯିବା ସହ ଅଧିକ ଯବାନ ମୁତୟନ କରାଯାଇଛି। କାରଣ ଶ୍ରୀଲଙ୍କା ବିସ୍ଫୋରଣ ପରେ ଭାରତରେ ବିସ୍ଫୋରଣ ଆଶଙ୍କା କରି ଏପରି ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ଲୋକ ସଭା ନିର୍ବାଚନ ପାଇଁ ସହରରେ ପୂର୍ବରୁ କଡା ସୁରକ୍ଷା ବ୍ୟବସ୍ଥା ଥିବା ସତ୍ୱେ ଏହାକୁ ଆହୁରି ମଜଭୁତ କରାଯାଇଛି। ସୂଚନାଯୋଗ୍ୟ, ଇଷ୍ଟର ସନ୍‌ଡେ’ରେ ଶ୍ରୀଲଙ୍କାରେ ହୋଇଥିବା ପ୍ରାୟ ୮ଟି ସିରିଏଲ ବିସ୍ଫୋରଣରେ ୩ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିଲା।

Share