ଅବିଭକ୍ତ କୋରାପୁଟ ଜିଲାରେ ହାଇ ଆଲର୍ଟ

ଜୟପୁର,୩ା୧୨(ପବନ ପାଣିଗ୍ରାହୀ)ମାଓବାଦୀମାନେ ଶନିବାରଠାରୁ ପିଏଲ୍‌ଜିଏ ସପ୍ତାହ ପାଳନ କରୁଛନ୍ତି। ଏଥିପାଇଁ ଅବିଭକ୍ତ କୋରାପୁଟ ଜିଲାରେ ହାଇ ଆଲର୍ଟ ଜାରି କରାଯାଇଛି ା ଛତିଶଗଡ- ଆନ୍ଧ୍ର- ଓଡ଼ିଶାରେ ସୁରକ୍ଷା କର୍ମୀ ମାଓବାଦୀଙ୍କ ଗତିବିଧି ଉପରେ କଡା ନଜର ରଖିଛନ୍ତି ା ସୁରକ୍ଷାବାହିନୀ ପକ୍ଷରୁ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି। ପିଏଲ୍‌ଜିଏ ସପ୍ତାହ ଅବସରରେ ମାଓବାଦୀମାନେ ଉପାନ୍ତ ଗ୍ରାମରେ ସଭାସମିତି କରି ମାଓବାଦୀ ସଙ୍ଗଠନର କାର୍ଯ୍ୟ ଓ ଆଦର୍ଶ ସମ୍ପର୍କରେ ଯୁବ ଗୋଷ୍ଠୀଙ୍କୁ ଅବଗତ କରାଇ ସେମାନଙ୍କୁ ସଙ୍ଗଠନରେ ସାମିଲ ଲାଗି ଚେଷ୍ଟା କରନ୍ତି। ଗତ ୨୦୦୦ ମସିହାରେ ପ୍ରଥମେ ମାଓବାଦୀ ସଙ୍ଗଠନ ପକ୍ଷରୁ ଏହି ପିପୁଲ୍‌ସ ଲିବରେଶନ ଗେରିଲା ସ୍ଥାପନ କରାଯାଇଥିଲା। ତେବେ ପିଏଲ୍‌ଜିଏ ସପ୍ତାହ ପାଇଁ ଜିଲା ପୋଲିସ ସୀମାନ୍ତ ଅଞ୍ଚଳକୁ ସିଲ୍‌ କରି କୋମ୍ବିଂ ଅପରେଶନକୁ ଜୋରଦାର କରିଛି। ସବୁ ଥାନାକୁ ହାଇ ଆଲର୍ଟ ଜାରି କରାଯାଇଛି। ଅବିଭକ୍ତ କୋରାପୁଟ ଜିଲାବାସୀଙ୍କୁ ଭୟ ନ କରିବାକୁ ପୋଲିସ ପରାମର୍ଶ ଦେଇଛି। ଅନ୍ୟପକ୍ଷରେ ପିଏଲ୍‌ଜିଏ ସପ୍ତାହ ଅବସରରେ ମାଓବାଦୀମାନେ କୋରାପୁଟ,ମାଲକାନଗିରି, ରାୟଗଡା ଜିଲାର ସୀମାନ୍ତ ଅଞ୍ଚଳରେ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରି ଜନସାଧାରଣଙ୍କୁ ଜଣାଇଛନ୍ତି। ସୂଚନାଯୋଗ୍ୟ, ପିଏଲ୍‌ଜିଏ ସପ୍ତାହ ପାଳନ ସମୟରେ ମାଓବାଦୀ ସଙ୍ଗଠନର କେନ୍ଦ୍ରୀୟ କମିଟି ନେତାମାନେ ଅଞ୍ଚଳ ଗସ୍ତ କରି ମାଓବାଦୀ ସଙ୍ଗଠନକୁ ଅଧିକ ଶକ୍ତିଶାଳୀ କରିବା, ପୋଲିସ ମଧ୍ୟରେ ଅଧିକରୁ ଅଧିକ ଭୟ ସୃଷ୍ଟି କରିବା ନେଇ କାର୍ଯ୍ୟ କରିଥାନ୍ତି। ପିଏଲ୍‌ଜିଏ ସପ୍ତାହ ପରି ମାଓବାଦୀମାନେ ମଧ୍ୟ ୨୦୦୦ ମସିହାରୁ ପିଏଲ୍‌ଜିଏ ପ୍ରଜାଲିବରେଶନ ଗେରିଲା ଆର୍ମି ଗ୍ରୁପ୍‌ ସପ୍ତାହ ପାଳନ କରି ଆସୁଛନ୍ତି।

Share