ପ୍ରତିବର୍ଷ ମେ’ ୧୭ରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଇଥାଏ। ୨୦୦୬ଠାରୁ ଏହି ଦିବସ ଲୋକଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପାଳିତ ହୋଇ ଆସୁଛି। ୨୦୦୫ରେ ପ୍ରଥମେ ଏହି ଦିବସ ମେ’ ୧୪ରେ ପାଳନ କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଏହାକୁ ମେ’ ୧୭ରେ ପାଳନ କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା। ଚଳିତ ବର୍ଷ ଏହି ଦିବସର ଶୀର୍ଷକ ରହିଛି, ‘ମେଜର ୟୋର ବ୍ଲଡ୍ ପ୍ରେସର ଆକ୍ୟୁରେଟ୍ଲି, କଣ୍ଟ୍ରୋଲ ଇଟ୍, ଲିଭ୍ ଲଙ୍ଗର’( ନିଜର ରକ୍ତଚାପ ସଠିକ୍ ଭାବେ ମାପନ୍ତୁ, ଏହାକୁ ନିୟନ୍ତ୍ରଣ କରନ୍ତୁ, ଦୀର୍ଘଜୀବୀ ହୁଅନ୍ତୁ)।
ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ମଧ୍ୟ ଶରୀରରେ ସାଧାରଣତଃ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥାଏ। ତେବେ ଅଧିକ ଦିନ ଧରି ଏହି ସମସ୍ୟା ରହିଲେ ସାଇଲେଣ୍ଟ୍ କିଲର୍ ଭଳି ଅନ୍ୟ କେତେକ ରୋଗକୁ ଡାକି ଆଣିଥାଏ। ଉଚ୍ଚ ରକ୍ତଚାପ ଯୋଗୁ କରୋନାରୀ ଆର୍ଟେରୀ ସମସ୍ୟା, ଷ୍ଟ୍ରୋକ୍, ହାର୍ଟ ଆଟାକ୍, ଆର୍ଟିଆଲ ଫିବ୍ରିଲେଶନ, ପେରିଫେରିଆଲ୍ ଆର୍ଟିଆଲ ସମସ୍ୟା, ଦୃଷ୍ଟି ଶକ୍ତି ନଷ୍ଟ ହେବା, କିଡ୍ନୀ ସମସ୍ୟା, ମନେ ରଖିବା ଶକ୍ତି ସମସ୍ୟା ଆଦି ସୃଷ୍ଟି ହୋଇଥାଏ।
ଉଚ୍ଚ ରକ୍ତଚାପକୁ ପ୍ରାଇମେରୀ ଏବଂ ସେକେଣ୍ଡାରୀ ଭାବେ ବିଭକ୍ତ କରାଯାଇଥାଏ। ପ୍ରାଇମେରୀ ଉଚ୍ଚ ରକ୍ତଚାପ ୯୦ରୁ ୯୫ ପ୍ରତିଶତ ଲୋକଙ୍କର ପରିବର୍ତ୍ତିତ ଜୀବନଚର୍ଯ୍ୟା ଓ ଜେନେଟିକ କାରଣ ଯୋଗୁ ହୁଏ । ଅଧିକ ଲୁଣ ଖାଇବା, ଅତ୍ୟଧିକ ଓଜନ ବୃଦ୍ଧି, ଧୂମପାନ ଓ ଆଲକୋହୋଲ ପିଇବା ଯୋଗୁ ମୁଖ୍ୟତଃ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ସେହିପରି ୫ରୁ ୧୦ ପ୍ରତିଶତ ଲୋକଙ୍କଠାରେ ସେକଣ୍ଡାରୀ ଉଚ୍ଚ ରକ୍ତଚାପ ଦେଖାଯାଇଥାଏ। ଏହା କିଡ୍ନୀ ସମସ୍ୟା, କିଡ୍ନୀ ଆର୍ଟେରୀ ସଂକୁଚିତ ସମସ୍ୟା, ଅଧିକ ଜନ୍ମ ନିରୋଧ ବଟିକା ସେବନ ଆଦି ଯୋଗୁ ସୃଷ୍ଟି ହୋଇଥାଏ।
ସାଧାରଣତଃ ବୟସ୍କଙ୍କ କ୍ଷେତ୍ରରେ ସିଷ୍ଟୋଲିକ୍ ରକ୍ତଚାପ ୧୦୦ରୁ ୧୨୦ ମଧ୍ୟରେ ରହିଥାଏ। ସେହିପରି ଡାଇଷ୍ଟୋଲିକ୍ ରକ୍ତଚାପ ୬୦ରୁ ୮୦ ମଧ୍ୟରେ ରହିଥାଏ। ଫଳରେ ଏହାକୁ ୧୨୦ ବାଏ ୮୦ ବୋଲି କୁହାଯାଇଥାଏ। ମାତ୍ର ଏହାଠାରୁ ଅଧିକ ହେଲେ ଲଏହାକୁ ଉଚ୍ଚ ରକ୍ତଚାପ କୁହାଯାଏ।
ପୃଥିବୀର ପ୍ରାୟ ୩୭ ପ୍ରତିଶତ ଲୋକଙ୍କଠାରେ ଏହି ସମସ୍ୟା ରହିଥାଏ। ୨୦୧୦ରେ ଏହି ସମସ୍ୟା ଯୋଗୁ ପୃଥିବୀର ୧୮ ପ୍ରତିଶତ ଅର୍ଥାତ୍ ୯୪ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା। ପରେ ସଚେତନତା, ଖାଦ୍ୟପେୟ-ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଚିକିତ୍ସା ଦ୍ୱାରା ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି।