ହାଇଦ୍ରାବାଦ୍, ୧୭।୨ : ତେଲାଙ୍ଗାନାର ପେଡାପଲ୍ଲି ଜିଲାର କାମାନପୁରଠାରେ ସ୍ପଷ୍ଟ ଦିବାଲୋକରେ ଖେଳିଯାଇଛି ଆତଙ୍କ। ତେଲାଙ୍ଗାନା ହାଇକୋର୍ଟ ଓକିଲ ଗାଟୁ ବମନ ରାଓ ଏବଂ ତାଙ୍କ ପତ୍ନୀ ନାଗମଣିଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏହି ଓକିଲ ଦମ୍ପତି ମନ୍ଥାନି କୋର୍ଟରେ କାମ ସାରି ହାଇଦ୍ରାବାଦ୍ ଫେରୁଥିଲେ। ଅପରାହ୍ନରେ ସେମାନଙ୍କ କାର କାଲାଭାଚର୍ଲା ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚିବା ପରେ କିଛି ଦୁର୍ବୃତ୍ତ ଛୁରୀ ଓ ଧାରୁଆ ଅସ୍ତ୍ର ସହ ଆକ୍ରମଣ କରିବା ପରେ ଖସି ପଳାଇଥିଲେ।
ଦେଖଣାହାରୀମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଦମ୍ପତିକୁ ମେଡିକାଲରେ ଭର୍ତ୍ତି କରାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ପୂର୍ବରୁ ଓକିଲ ଜଣଙ୍କ ଆକ୍ରମଣ ପଛରେ ଟିଆରଏସ୍ ମଣ୍ଡଲ ନେତା କୁନ୍ତା ଶ୍ରୀନିବାସଙ୍କ ନାମ ଥିବା କହିଥିଲେ।