Categories: ଜାତୀୟ

୨୮ସପ୍ତାହରେ ଗର୍ଭପାତ କରିବାକୁ ଅନୁମତି ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ,୧୧।୧: ଜଣେ ମହିଳାଙ୍କୁ ୨୮ ସପ୍ତାହରେ ଗର୍ଭପାତ କରିବାକୁ ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଇଛନ୍ତି। ଗର୍ଭରେ ବଢୁଥିବା ଭ୍ରୁଣର ମସ୍ତିଷ୍କ ଉପରେ ଖପୁରୀ ଠିକ୍‌ ଭାବେ ନିର୍ମିତ ହୋଇ ନ ଥିବାରୁ କୋର୍ଟ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆନେନ୍ସଫାଲେ ସମସ୍ୟା ଯୋଗୁ ଏହା ହୋଇଥିବା ଏମ୍ସ୍‌ ଡାକ୍ତରଙ୍କ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ରିପୋର୍ଟ ଦାଖଲ ପରେ ବିଚାରପତି ଡି.ଏନ୍‌.ପଟେଲ ଏବଂ ଜ୍ୟୋତି ସିଂଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ମେଡ଼ିକାଲ ଟର୍ମିନେଶନ ଅଫ୍‌ ପ୍ରେଗାନ୍ସି ଆକ୍ଟ ୧୯୭୧ ଏବଂ ଧାରା-୩ର ବିଭାଗ-୨-ଖ ଅର୍ନ୍ତଗତ ଗର୍ଭବତୀ ମହିଳାଙ୍କୁ ୨୦ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଅନୁମତି ଦିଆଯାଇ ପାରିବ। କାରଣ ଏହାପରେ ଗର୍ଭପାତ କଲେ ସମ୍ପୃକ୍ତ ମହିଳାଙ୍କ ଜୀବନ ପ୍ରତି ଯଥେଷ୍ଟ ବିପଦ ରହିଥାଏ। ମାତ୍ର ସମ୍ପ୍ରତି ଚିକିତ୍ସା ଜ୍ଞାନକୌଶଳରେ ବିକାଶ ହୋଇଥିବାରୁ ଗର୍ଭଧାରଣର ଯେ କୌଣସି ସମୟରେ ମଧ୍ୟ ଗର୍ଭପାତ କରାଯାଇ ପାରୁଛି। ତେଣୁ କୋର୍ଟ ମହିଳାଙ୍କୁ ଗର୍ଭପାତ ଲାଗି ଅନୁମତି ଦେଇଛନ୍ତି। ଏହାଦ୍ୱାରା ସମ୍ପୃକ୍ତ ମହିଳାଙ୍କ ପ୍ରତି ବିପଦ ରହିବ ନାହିଁ ବୋଲି ଖଣ୍ଡପୀଠ ପକ୍ଷରୁ କୁହାଯାଇଛି।

Share