Categories: ଜାତୀୟ

୨୭ ସପ୍ତାହ ଭ୍ରୁଣର ଗର୍ଭପାତ ପାଇଁ ମହିଳାଙ୍କୁ ଅନୁମତି ଦେଇଥିଲେ ହାଇକୋର୍ଟ, ଜୀବିତ ଜନ୍ମ ହେଲେ ଶିଶୁ…

ମୁମ୍ବାଇ,୧୩।୮ : ନିକଟରେ ବମ୍ବେ ହାଇକୋର୍ଟ ଜଣେ ମହିଳାଙ୍କ ୨୭ ସପ୍ତାହର ଗର୍ଭସ୍ଥ ଭ୍ରୁଣର ଗର୍ଭପାତ ପାଇଁ ଅନୁମତି ଦେଇଥିଲେ। ମହିଳାଙ୍କ ହୃଦୟରେ ଏକ ଛୋଟ ଛିଦ୍ର ଥିବାରୁ ହାଇକୋର୍ଟ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗର୍ଭପାତ ପାଇଁ ଅନୁମତି ଦେଇଥିଲେ। ତେବେ ଜରୁରୀକାଳୀନ ଗର୍ଭପାତ ସମୟରେ ଶିଶୁଟି ଜୀବନ୍ତ ଜନ୍ମ ହୋଇଥିଲେ।

ବର୍ତ୍ତମାନ କୋର୍ଟ କହିଛନ୍ତି ନବଜାତ ଶିଶୁକୁ କେଇଏମ ହସ୍ପିଟାଲ ବାହାରକୁ ନିଆଯିବା ଉଚିତ ନୁହେଁ। ଅଗଷ୍ଟ ୯ ରେ ଜଷ୍ଟିସ ଗୌତମ ପଟେଲ ଏବଂ ନୀଲା ଗୋଖଲେଙ୍କ ଏକ ବେଞ୍ଚ କହିଛନ୍ତି ଡାକ୍ତରଙ୍କ ପରାମର୍ଶ ବିନା ଶିଶୁଙ୍କୁ ଡାକ୍ତରଖାନାରୁ ବାହାରକୁ ନିଆଯିବା ଉଚିତ ନୁହେଁ।

ବେଞ୍ଚଙ୍କୁ କୁହାଯାଇଛି ମହିଳା ଜଣକ ଜୀବନ୍ତ ଶିଶୁ ଜନ୍ମ ଦେଇଛନ୍ତି। ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ମେଡିକାଲ ଟର୍ମିନେଶନ ଅଫ ପ୍ରେଗନାନ୍ସି (ଏମଟିପି) କୁ କୋର୍ଟ ଅନୁମତି ଦେଇଥିଲେ। ଦାଦରା ଏବଂ ନାଗର ହାଭେଲିର ସିଲଭାସିରେ ଜଣେ ୨୦ ବର୍ଷ ବୟସ୍କା ମହିଳା ଏବଂ ତାଙ୍କ ସ୍ବାମୀ ୨୪ ସପ୍ତାହ ସୀମା ଅତିକ୍ରମ କରିଥିବାରୁ ଏମଟିପି ପାଇଁ ଅନୁମତି ମାଗି ହାଇକୋର୍ଟଙ୍କ ନିକଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ମାର୍ଚ୍ଚ ମାସରେ ମହିଳା ଜଣକ ଗର୍ଭବତୀ ଥିବା ଜାଣିବାକୁ ମିଳିଥିଲା। ଜୁଲାଇ ୨୫ରେ କାଶ ଏବଂ ନିଶ୍ୱାସ ପ୍ରଶ୍ୱାସ ସମସ୍ୟା ଯୋଗୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ହୃଦୟରେ ୨୦ ମିଲିମିଟର ଛିଦ୍ର ଥିବା ଜଣାପଡିଥିଲା।  ତାଙ୍କୁ ଗର୍ଭପାତ କରାଇବାକୁ ପରାମର୍ଶ ଦିଆଯାଇଥିଲା ଏବଂ ମହିଳାଙ୍କୁ ହୃଦରୋଗ ବିଶେଷଜ୍ଞଙ୍କ ମତାମତ ପାଇଁ ପଠାଇଥିଲେ।
ଏହା ପରେ, ଦମ୍ପତି ଜୁଲାଇ ୩୦ ରେ ରାତି ୧୧ ଟା ସମୟରେ ଆମ୍ବୁଲାନ୍ସରେ ସିଲଭାସି ଛାଡି ଜୁଲାଇ ୩୧ ରେ କେଇଏମ ହସ୍ପିଟାଲରେ ପହଞ୍ଚିଥିଲେ। ମହିଳାଙ୍କ ଅବସ୍ଥା ଗୁରୁତର ଥିଲା। ଅଗଷ୍ଟ ୩ ରେ ମହିଳାଙ୍କ ଅବସ୍ଥା ସମ୍ପର୍କରେ ବିସ୍ତୃତ ରିପୋର୍ଟ କେଇଏମ ହସ୍ପିଟାଲର ମେଡିକାଲ ବୋର୍ଡରେ ଦାଖଲ କରିଥିଲେ ଯାହା ଜରୁରୀକାଳୀନ ଗର୍ଭପାତ ପାଇଁ ପରାମର୍ଶ ଦେଇଥିଲା। ଏହି ସମୟରେ ମହିଳା ଜଣକ ତାଙ୍କ ହୃଦୟରେ ଥିବା ଏକ ଛିଦ୍ର ଏବଂ ଅନ୍ୟାନ୍ୟ ଜଟିଳତା ପାଇଁ ମଧ୍ୟ ଚିକିତ୍ସିତ ହୋଇଥିଲେ।

Share