Categories: ଜାତୀୟ

ସମଲିଙ୍ଗୀ ଯୋଡ଼ିଙ୍କୁ ଏକାଠି ରହିବାକୁ ଅନୁମତି ଦେଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌, ୧।୬ : ସୌଦି ଆରବରେ ଅଧ୍ୟୟନ ସମୟରେ ଆଦିଲା ନଜରୀନ୍‌ ଏବଂ ଫାତିମା ନୁରା ପରସ୍ପରର ନିକଟତର ହୋଇଥିଲେ। ପରେ ଦୁହେଁ ଏକାଠି ରହିବାକୁ ସ୍ଥିର କଲେ । କିନ୍ତୁ ଆଦିଲା ଏବଂ ଫାତିମାଙ୍କ ସମ୍ପର୍କୀୟମାନେ ଏନେଇ ଆପତ୍ତି ଉଠାଇଥିଲେ। ଯାହା ପରେ ଏନେଇ ସମଲିଙ୍ଗୀ ଯୋଡ଼ି ଏକାଠି ରହିବା ଅନୁମତି ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୌଦି ଆରବରେ ସ୍କୁଲରେ ପାଠ ପଢୁଥିବାବେଳେ ଆଦିଲା ଏବଂ ଫାତିମା ପରସ୍ପରର ନିକଟତର ହୋଇଥିଲେ। ସ୍ନାତକ ପରେ ଉଭୟ ଏକାଠି ରହିବାକୁ ସ୍ଥିର କଲେ। କିନ୍ତୁ ଉଭୟଙ୍କ ପରିବାର ତାଙ୍କ ପଦକ୍ଷେପକୁ ବିରୋଧ କରୁଥିଲେ।

ଫାତିମାଙ୍କୁ ଅପହରଣ କରାଯିବା ପରେ ଆଦିଲା କେରଳ ହାଇକୋର୍ଟରେ ଏନେଇ ପିଟିଶନ ଦାଖଲ କରିଥିଲେ। ଏହି ପ୍ରସଙ୍ଗରେ କେରଳ ହାଇକୋର୍ଟରେ ଦାଖଲ ହୋଇଥିବା ପିଟିଶନରେ ଆଦିଲା କହିଛନ୍ତି ଯେ ସେ ଏବଂ ତାଙ୍କ ସାଥୀ ଫାତିମାଙ୍କୁ ସେମାନଙ୍କ ପରିବାର ଶାରୀରିକ ତଥା ମାନସିକ ନିର୍ଯାତନା ଦେଉଛନ୍ତି। ଛଅ ଦିନ ପୂର୍ବରୁ, ଫାତିମାଙ୍କୁ ତାଙ୍କ ସମ୍ପର୍କୀୟମାନେ ଅପହରଣ କରି ନେଇଥିଲେ। ଆଦିଲା ଅଭିଯୋଗ କରିଛନ୍ତି ଯେ ତାଙ୍କ ସହ ରହିବାକୁ ଆଲୁଭାକୁ ଆସିଥିବା ଫାତିମାଙ୍କୁ ତାଙ୍କ ପରିବାର ଅପହରଣ କରିନେଇଥିଲେ। ପରେ ମଙ୍ଗଳବାର ଫାତିମା ନିଖୋଜ ଥିବା ଦାବି କରି ହାଇକୋର୍ଟରେ ଏକ ହାବିସ କର୍ପସ ଦାଖଲ କରାଯାଇଥିଲା।

ଏହି ଆବେଦନର ବିଚାର କରି ହାଇକୋର୍ଟ ପୋଲିସକୁ ଫାତିମା ନୁରାଙ୍କୁ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ସମୟରେ କୋର୍ଟରେ ଆବେଦନକାରୀ ଆଦିଲାଙ୍କୁ କୋର୍ଟକୁ ଡକାଯାଇଥିଲା। ବିଚାରପତି ବିନୋଦ ଚନ୍ଦ୍ରନଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ବୟସ୍କମାନଙ୍କ ପାଇଁ ଏକାଠି ରହିବା ପ୍ରତିବନ୍ଧିତ ନୁହେଁ। ହାଇକୋର୍ଟ ଆଦିଲାଙ୍କ ଆବେଦନ ଶୁଣିବା ପରେ ତାଙ୍କୁ ଫାତିମାଙ୍କ ସହ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share