Categories: ଜାତୀୟ

ହାଓ୍ବଡ଼ା ହିଂସା ନେଇ ସରକାରଙ୍କୁ ରିପୋର୍ଟ ତଲବ କଲେ ହାଇକୋର୍ଟ…

କୋଲକାତା,୩।୪ : ସୋମବାର କଲିକତା ହାଇକୋର୍ଟ ହାୱଡା ହିଂସା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି। ହାଓ୍ବଡା ହିଂସା ମାମଲାର ତଦନ୍ତ କରିବାକୁ ଏନଆଇଏ ଦାବି କରି ଭାଜପା ନେତା ଶୁଭେନ୍ଦୁ ଅଧିକାରୀ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରିଛନ୍ତି। ହିଂସା ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ନିୟୋଜିତ କରାଯିବାକୁ ଅଧିକାରୀ ଦାବି କରିଛନ୍ତି। ଦାଖଲ ହୋଇଥିବା ଏହି ଜନସ୍ବାର୍ଥ ମାମଲା ଉପରେ ହାଇକୋର୍ଟ ହାୱଡାରୁ ଶିବପୁର ପର୍ଯ୍ୟନ୍ତ ଘଟିଥିବା ହିଂସା ସମ୍ପର୍କରେ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି।

କଲିକତା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଟି.ଏସ ଶିବଜ୍ଞାନମ ଏବଂ ଜଷ୍ଟିସ ହିରଣ୍ମୟ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ ୫ ଏପ୍ରିଲ ସୁଦ୍ଧା ହିଂସା ମାମଲାରେ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ହିଂସାକାଣ୍ଡରେ ପ୍ରଭାବିତ ସହରରେ ଶାନ୍ତି ପ୍ରତିଷ୍ଠା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ବୋଲି କୋର୍ଟ ମଧ୍ୟ ପ୍ରଶ୍ନ କରିଛନ୍ତି। ହିଂସା ସହ ଜଡିତ ସିସିଟିଭି ଏବଂ ଭିଡିଓ ଫୁଟେଜ ଦାଖଲ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଆଟର୍ନି ଜେନେରାଲ ଏସ.ଏନ ମୁଖାର୍ଜୀ କହିଛନ୍ତି ଯେ ବର୍ତ୍ତମାନ ହାୱଡାର ଶିବପୁରରେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ସେ କହିଛନ୍ତି ଏହି ହିଂସା ଘଟଣାରେ ୩୬ ଜଣଙ୍କୁ ଗିରଫ କରାଯାଇଛି।

Share