Categories: ଜାତୀୟ

ଭାଜପା ମହିଳା ବିଧାୟକଙ୍କ ନିର୍ବାଚନକୁ ବେଆଇନ ଘୋଷିତ କଲେ ହାଇକୋର୍ଟ…

ଇଟାନଗର,୨୭।୪ : ଗୁଆହାଟୀ ହାଇକୋର୍ଟ ଅରୁଣାଚଳ ପ୍ରଦେଶର ଭାଜପା ମହିଳା ବିଧାୟକ ଦାସଙ୍ଗଲୁ ପୁଲଙ୍କ ନିର୍ବାଚନକୁ ବେଆଇନ ଘୋଷଣା କରିଛନ୍ତି। ଭାଜପା ବିଧାୟକ ତାଙ୍କ ନିର୍ବାଚନୀ ସତ୍ୟପାଠରେ ସମ୍ପତ୍ତି ସହ ଜଡିତ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଛି। କଂଗ୍ରେସ ନେତା ଭାଜପା ବିଧାୟକଙ୍କ ବିରୋଧରେ ମାମଲା ଦାଏର କରିଥିଲେ। ଏବେ ଭାଜପା ବିଧାୟକ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ କହିଛନ୍ତି।

ଗୁଆହାଟୀ ହାଇକୋର୍ଟର ଇଟାନଗର ବେଞ୍ଚ ଅନଜାଓ୍ବ ଜିଲାର ହାୟୁଲିଆନ୍ସ ଆସନର ବିଧାୟକ ଦାସଙ୍ଗଲୁ ପୁଲଙ୍କ ନିର୍ବାଚନକୁ ନିଷ୍କ୍ରିୟ କରିଛନ୍ତି। ଲୋକ ପ୍ରତିନିଧୀ ଅଧିନିୟମ ଅନୁଯାୟୀ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କାଲିଖୋ ପୁଲଙ୍କ ତୃତୀୟ ସ୍ତ୍ରୀ ହେଉଛନ୍ତି ଦାସଙ୍ଗଲୁ ପୁଲ। ସ୍ବମୀଙ୍କ ମୃତ୍ୟୁ ପରେ ୨୦୧୬ ଉପନିର୍ବାଚନରେ ଦାସଙ୍ଗଲୁ ପୁଲ ପ୍ରଥମ ଥର ପାଇଁ ଜିତିଥିଲେ। ଏହା ପରେ ସେ ୨୦୧୯ ବିଧାନସଭା ନିର୍ବାଚନରେ ପୁନର୍ବାର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।

୨୦୧୯ ନିର୍ବାଚନରେ ଦାସଙ୍ଗଲୁ ପୁଲ କଂଗ୍ରେସ ପ୍ରାର୍ଥିନୀ ଲୁପାଲମ କ୍ୟୁରୀଙ୍କୁ ପରାସ୍ତ କରିଥିଲେ। ପରେ କୋର୍ଟରେ ଦାସଙ୍ଗଲୁଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରିଥିଲେ କ୍ୟୁରୀ। କ୍ୟୁରୀ ଅଭିଯୋଗ କରିଥିଲେ, ଦାସଙ୍ଗଲୁ ତାଙ୍କ ସତ୍ୟପାଠରେ ସମ୍ପତ୍ତି ସହ ଜଡିତ ତଥ୍ୟ ଲୁଚାଇ ରଖିଛନ୍ତି। କ୍ୟୁରୀ ଦାବି କରିଛନ୍ତି, ଦାସଙ୍ଗଲୁ ପୁଲଙ୍କ ସ୍ବାମୀଙ୍କର ମୁମ୍ବାଇରେ ଚାରିଟି ଏବଂ ଅରୁଣାଚଳ ପ୍ରଦେଶରେ ଦୁଇଟି ସମ୍ପତ୍ତି ଅଛି, କିନ୍ତୁ ସେ ତାଙ୍କ ସତ୍ୟପାଠରେ ଏହା ପ୍ରକାଶ କରି ନାହାଁନ୍ତି।

ଏହା ଶୁଣି ଜଷ୍ଟିସ ନାନି ତାଗିଆ ଲୋକ ପ୍ରତିନିଧୀ ଅଧିନିୟମର ଧାରା ୩୬ (୨) (କ) ଅନୁଯାୟୀ ଭାଜପା ବିଧାୟିକାଙ୍କ ନିର୍ବାଚନକୁ ରଦ୍ଦ କରିଦେଇଛନ୍ତି।

Share