ଚେନ୍ନାଇ,୧୧।୭ : ରାଜନୈତିକ ଦଳର କଳହରେ ହସ୍ତକ୍ଷେପ ନକରିବାକୁ ମାଡ୍ରାସ ହାଇକୋର୍ଟ ଏଆଇଏଡିଏମ୍କେ ନେତା ତଥା ପୂର୍ବତନ ସଂଯୋଜକ ଓ. ପନିରସେଲଭାମ୍ଙ୍କ ଆବେଦନକୁ ସୋମବାର ଖାରଜ କରିଦେଇଛନ୍ତି। ପନିରସେଲଭାମ୍ ସାଧାରଣ ପରିଷଦ ବୈଠକ ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ। ତେବେ ହାଇକୋର୍ଟ ଏହାକୁ ଖାରଜ କରିଛନ୍ତି।
ଏଆଇଏଡିଏମକେର ସାଧାରଣ ପରିଷଦ ବୈଠକ ସୋମବାର ଅନୁଷ୍ଠିତ ହେବ। ଏହି ଐତିହାସିକ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଇ.କେ. ପଲାନିସାମୀଙ୍କୁ ଦଳର ଏକକ ସର୍ବୋଚ୍ଚ ନେତା ଭାବରେ ନିର୍ବାଚିତ କରାଯିବାର ଆଶା କରାଯାଉଛି।
ବିଚାରପତି କୃଷ୍ଣନ ରାମାସ୍ବାମୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ପକ୍ଷରୁ ସୋମବାର ପ୍ରଦାନ କରାଯାଇଥିବା ଏକ ରାୟରେ ଉଲ୍ଲେଖ କରାଯାଇଛି ଯେ, ତାମିଲନାଡୁର ମୁଖ୍ୟ ବିରୋଧୀ ଦଳର ସର୍ବୋଚ୍ଚ ନିଷ୍ପତ୍ତି ନେଉଥିବା ଏକ ସାଧାରଣ ପରିଷଦ ବୈଠକ କରିବାକୁ ଦଳକୁ ଅନୁମତି ଦିଆଯାଉଛି। ଓପିଏସ ଏବଂ ଇପିଏସର ବରିଷ୍ଠ ଆଇନଜୀବୀଙ୍କ ଦୀର୍ଘ ଯୁକ୍ତି ଶୁଣିବା ପରେ ବିଚାରପତି ଜୁଲାଇ ୮ ଲାଗି ରାୟକୁ ସଂରକ୍ଷଣ କରିଛନ୍ତି।
ସାଧାରଣ ପରିଷଦ ବୈଠକକୁ ଚ୍ୟାଲେଞ୍ଜ କରୁଥିବା ଅନ୍ୟ ଏକ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି। ଆଇନ ଅନୁଯାୟୀ ଏହି ବୈଠକ ଅନୁଷ୍ଠିତ ହୋଇପାରିବ ବୋଲି ବିଚାରପତି କହିଛନ୍ତି।