ମୂର୍ତ୍ତି ଉଚ୍ଚତା ବିବାଦ: ଆବେଦନ ଖାରଜ କଲେ ହାଇକୋର୍ଟ

କଟକ ଅଫିସ,୧୭ା୯: ଦଶହରାରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦର ରାୟ ଆଜି ପ୍ରକାଶ ପାଇଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧିକୁ ନେଇ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ସରକାରୀ ନିୟମରେ ଆଉ ପରିବର୍ତ୍ତନ ହେବ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇଛନ୍ତି ହାଇକୋର୍ଟ। ମୂର୍ତ୍ତି ଉଚ୍ଚତା ୪ ଫୁଟ ରହିବ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ ।

କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ମା’ଙ୍କ ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ହାଇକୋର୍ଟରେ ଆବେଦନ କରାଯାଇଥିଲା। ତେବେ ଯେଉଁସବୁ ଯୁକ୍ତି ରଖାଯାଇଥିଲା ତାହା ସନ୍ତୋଷଜନକ ନୁହେଁ ବୋଲି କୁହାଯାଇଛି। ଗୁରୁବାର ମାମଲା ଶୁଣାଣି କରି ଉଚ୍ଚତା କମ୍‌ କଲେ କ’ଣ ସମସ୍ୟା ଉପୁଜିବ ବୋଲି ପ୍ରଶ୍ନ କରିଥିଲେ ହାଇକୋର୍ଟ। ହେଲେ ଆବେଦନକାରୀଙ୍କ ଓକିଲ ଏହା  ଭାବାବେଗର କଥା ବୋଲି କୋର୍ଟରେ ନିଜର ଯୁକ୍ତି ବାଢ଼ିଥିଲେ।

ଏ ନିୟମ କେବଳ କଟକ ପାଇଁ ନୁହେଁ, ସାରା ଓଡ଼ିଶା ପାଇଁ। ନିୟମ ପରିବର୍ତ୍ତନ ହେଲେ ସାରା ଓଡ଼ିଶା ପାଇଁ ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି ସରକାରୀ ଓକିଲ କହିଛନ୍ତି। ସରକାର ରାଜ୍ୟରେ କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମୂର୍ତ୍ତି ଉଚ୍ଚତା ବୃଦ୍ଧିକୁ ନେଇ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ।

 

Share