କୋଭିଡ ମୃତ୍ୟୁସଂଖ୍ୟାକୁ ନେଇ ଅସନ୍ତୁଷ୍ଟ ହାଇକୋର୍ଟ

ପାଟନା,୧୨।୬: ବିହାରରେ କରୋନାଜନିତ ହୋଇଥିବା ମୃତ୍ୟୁସଂଖ୍ୟାକୁ ନେଇ ପାଟନା ହାଇକୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି। ସରକାର ଦେଇଥିବା ମୃତ୍ୟୁସଂଖ୍ୟା ତଥ୍ୟ ଉପରେ କୋର୍ଟ ଅସନ୍ତୁଷ୍ଟ। ଏହି ଘଟଣା ଉପରେ ଲଗାତର ନଜର ରଖାଯାଇଛି ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଏହି ମାମଲାର ଶୁଣାଣି କରିବା ସମୟରେ ହାଇକୋର୍ଟ କହିଛନ୍ତି, ଯଦି ଏହି ଘଟଣାରେ କୋର୍ଟ ହସ୍ତକ୍ଷେପ କରି ନ ଥାନ୍ତେ ତେବେ ରାଜ୍ୟର ସରକାରୀ ତାଲିକାରେ କରୋନାଜନିତ ହୋଇଥିବା ଏହି ମୃତ୍ୟୁ ବ୍ୟକ୍ତିଙ୍କର ନାମ ବି ରହି ନ ଥାନ୍ତା। ବୋଧହୁଏ ସରକାର ଏନେଇ କୌଣସି ଟେର ମଧ୍ୟ ପାଇ ନ ଥାନ୍ତେ। ବର୍ତ୍ତମାନ ସରକାର ଦେଇଥିବା ତଥ୍ୟ ମଧ୍ୟ ସଠିକ୍‌ ନୁହେଁ। ଅନ୍ୟପଟେ ସରକାରୀ ଓକିଲ ଏହି ଘଟଣାକୁ ସ୍ବୀକାର କରିବା ସହ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଯଦି କୋର୍ଟଙ୍କ କୌଣସି ନିର୍ଦ୍ଦେଶ ନ ଥାନ୍ତା ତେବେ ଏହି ଘଟଣା କେବେ ଲୋକଲୋଚନକୁ ଆସିପାରିନଥାନ୍ତା ବୋଲି କୋର୍ଟ କହିଛନ୍ତି। ଅନ୍ୟପଟେ ଏହି ମାମଲାର ଶୁଣାଣି ଶନିବାର ମଧ୍ୟ ହେବ।

Share