Categories: ଜାତୀୟ

ବଳାତ୍କାର ପୀଡ଼ିତାଙ୍କୁ ବିବାହ ସର୍ତ୍ତରେ ଅଭିଯୁକ୍ତକୁ ଜାମିନ ପ୍ରଦାନ କଲେ ହାଇକୋର୍ଟ

ଇନ୍ଦୋର, ୬।୯: ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଇନ୍ଦୋର ବେଞ୍ଚ୍‌ ଏକ ନିଆରା ରାୟ ଦେଇଛନ୍ତି। ବଳାତ୍କାର ପୀଡ଼ିତାଙ୍କୁ ବିବାହ କରିବା ସର୍ତ୍ତରେ କୋର୍ଟ ଜେଲ୍‌ରେ ଥିବା ଅଭିଯୁକ୍ତକୁ ଜାମିନ ପ୍ରଦାନ କରିଛନ୍ତି। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ସମଗ୍ର ସହରରେ ଆଲୋଚନାର ବିଷୟ ପାଲଟିଛି।
ଘଟଣା ଦେବାସ ଜିଲାର ସିଟି କୋଟଓ୍ବାଲି ଅଞ୍ଚଳରେ ଘଟିଥିଲା। ୨୦୧୭ରୁ ଅଭିଯୁକ୍ତ ବ୍ୟକ୍ତି ଓ ପୀଡ଼ିତା ମହିଳାଙ୍କ ମଧ୍ୟରେ ସମ୍ପର୍କ ଆରମ୍ଭ ହୋଇଥିଲା। ଏହାପରେ ଯୁବକଜଣଙ୍କ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇଥିଲେ। ଯୁବକଙ୍କ କଥାରେ ମହିଳାଜଣଙ୍କ ବିଶ୍ୱାସ କରି ୨୦୨୦ ଜାନୁୟାରୀରେ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। କିନ୍ତୁ ପରେ ଯୁବକଜଣଙ୍କ ମହିଳାଙ୍କୁ ବିବାହ କରି ନ ଥିଲେ। ଏହାପରେ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଯୁବକଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେଇଥିଲା। ଏହି ଘଟଣାରେ ଯୁବକଜଣଙ୍କ ପରେ ଜିଲା କୋର୍ଟରେ ଜାମିନ ଆବେଦନ କରିଥିଲେ। କିନ୍ତୁ ଜାମିନ ଆବେଦନ ଖାରଜ ହେବାପରେ ସେ ହାଇକୋର୍ଟରେ ଆବେଦନ କରିଥିଲେ। ଯେଉଁଥିରେ ହାଇକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ମହିଳାଙ୍କୁ ବିବାହ କରି ଦୁଇ ମାସ ମଧ୍ୟରେ ଦଲିଲ୍‌ ପ୍ରସ୍ତୁତ କରିବା ସର୍ତ୍ତରେ ହାଇକୋର୍ଟ ଅଭିଯୁକ୍ତ ବ୍ୟକ୍ତିକୁ ଜାମିନ୍‌ ପ୍ରଦାନ କରିଛନ୍ତି। ଯଦି ସେ ତାହା ନ କରନ୍ତି ତେବେ ଜାମିନ ରଦ୍ଦ ହୋଇଯିବ। ଅପରପକ୍ଷରେ ପୀଡ଼ିତା ମହିଳା ମଧ୍ୟ ଅଭିଯୁକ୍ତ ଯୁବକକୁ ବିବାହ କରିବା ପାଇଁ ପ୍ରସ୍ତୁତ ଥିବା କୋର୍ଟଙ୍କୁ ଜଣାଇଛନ୍ତି।

Share