ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ

କଟକ ଅଫିସ୍‌, ୬ା୭: ରାଜ୍ୟରେ ହାତୀବଂଶ ରକ୍ଷା ଏବଂ ସୁରକ୍ଷା ଦିଗରେ କ’ଣ ସବୁ ପଦକ୍ଷେପ ନିଆଯାଉଛି, ସେ ସମ୍ପର୍କରେ ବିସ୍ତୃତ ରିପୋର୍ଟ ସତ୍ୟପାଠ ମାଧ୍ୟମରେ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ମଙ୍ଗଳବାର ହାଇକୋର୍ଟ ରିପୋର୍ଟ ତଲବ କରିଛନ୍ତି। ବନ୍ୟ ପ୍ରାଣୀ(ସୁରକ୍ଷା) ଆଇନ,୧୯୭୨ରେ ରାଜ୍ୟସ୍ତରରେ ସଂଶୋଧନ ଆଣିବା ପାଇଁ ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ଆର୍‌.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ସରକାର ବନ୍ୟଜନ୍ତୁ ସୁରକ୍ଷା ସମ୍ପର୍କିତ ଆଇନ କାର୍ଯ୍ୟକାରୀ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉତ୍ତରଦାୟିତ୍ୱ ସମ୍ପର୍କରେ ଉଲ୍ଲେଖ କରିବେ। ଆଇନଜୀବୀ ଆଶିଷ କୁମାର ମିଶ୍ରଙ୍କ ଦ୍ୱାରା କରାଯାଇଥିବା ଜନସ୍ବାର୍ଥ ମାମଲାରେ ବନ୍ୟଜନ୍ତୁ(ସୁରକ୍ଷା) (ଆସାମ ଆମେଣ୍ଡମେଣ୍ଟ) ଆକ୍ଟ ୨୦୦୯ ଆଧାରରେ ଓଡ଼ିଶାରେ ବନ୍ୟ ଜନ୍ତୁ ଶିକାର ରୋକିବା ନେଇ ରାଜ୍ୟସ୍ତରରେ ସଂଶୋଧନ ଆଣିବାକୁ ନିବେଦନ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୫ରେ ହେବ।
ସରକାରୀ ପରିସଂଖ୍ୟାନ ଅନୁଯାୟୀ ୨୦୧୨-୧୩ରୁ ୨୦୨୧-୨୨ ମଧ୍ୟରେ ରାଜ୍ୟରେ ୭୮୪ ହାତୀଙ୍କ ମୃତ୍ୟୁ ଘଟିଛି। ଏଗୁଡ଼ିକ ମଧ୍ୟରୁ ଶିକାରୀଙ୍କ ଦ୍ୱାରା ୩୪ଟି ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ବିଭିନ୍ନ ଦୁର୍ଘଟଣାରେ ୩୬ ହାତୀଙ୍କ ପ୍ରାଣ ଯାଇଛି। ଅପରପକ୍ଷରେ ରାଜ୍ୟ ସରକାରଙ୍କ କହିବାନୁସାରେ ୨୦୧୭ରେ କରାଯାଇଥିବା ହାତୀଗଣନା ଅନୁସାରେ ହାତୀଙ୍କ ସଂଖ୍ୟା ବୃଦ୍ଧି ଘଟିଛି। ୨୦୧୭ ଜନଗଣନା ଅନୁସାରେ ହାତୀଙ୍କ ସଂଖ୍ୟା ୧୯୭୬ ରହିଥିଲା, ଯାହାକି ୨୦୦୨ରେ କରାଯାଇଥିବା ଗଣନାଠାରୁ ୧୩୫ ଅଧିକ।

Share