Categories: ଜାତୀୟ

ମିଥ୍ୟା ବଳାତ୍କାର ମାମଲାର ଯାଞ୍ଚ୍‌ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ…

ଭୋପାଳ, ୧୨।୨ : ମିଥ୍ୟା ବଳାତ୍କାର ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଯାଞ୍ଚ୍‌ ନିର୍ଦ୍ଦେଶ ଦେଇଛନ୍ତି। ସିହୋର ଜିଲାର ଏସ୍‌ପିଙ୍କୁ ଘଟଣାର ଉଚିତ ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ବିଚାରପତି ସଞ୍ଜୟ ଦ୍ୱିବେଦୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାରେ ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ତଦନ୍ତ ତଥା ସାକ୍ଷ୍ୟ ଆଇନ ବ୍ୟବସ୍ଥାର ଦୂରୋପଯୋଗ କରାଯାଇ ଏଭଳି ହୋଇଥିବା ଖଣ୍ଡପୀଠ କହିଛନ୍ତି।

ମିଥ୍ୟା ଅଭିଯୋଗ କରିଥିବା ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ ଦଣ୍ଡାଦେଶ କରାଯିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଜାରି କରିଛନ୍ତି।
କୋର୍ଟ ଅଭିଯୁକ୍ତଙ୍କ ପକ୍ଷରୁ ଭାରତୀୟ ଦଣ୍ଡବିଧି ସଂହିତା ୩୭୬, ୩୬୫ ଏବଂ ୩୨୩/୩୪ ଅନ୍ତର୍ଗତ ଜାମିନ ଆବେଦନର ବିଚାର କରୁଥିଲେ।

ବଳାତ୍କାର ଅଭିଯୋଗ ଆଣିଥିବା ବ୍ୟକ୍ତି କୋର୍ଟରେ ପ୍ରକାଶ କରିଥିଲେ ଯେ, ଅଭିଯୁକ୍ତ ବଳାତ୍କାର କରି ନାହାନ୍ତି। ପୋଲିସ କହିବା ଅନୁସାରେ ସେ ବାଧ୍ୟ ହୋଇ ଏଭଳି ଅଭିଯୋଗ ଆଣିଥିଲେ।
କୋର୍ଟ ଏହି ମାମଲାର ପ୍ରକୃତ ତଦନ୍ତ ରିପୋର୍ଟ ୧୫ ଦିନ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

Share