Categories: ଜାତୀୟ

ପୋଷା କୁକୁର ମୃତ୍ୟୁ ନେଇ ସିଆରପିଏଫ ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ହାଇକୋର୍ଟ ବିଚାରପତି…

ନୂଆଦିଲ୍ଲୀ,୨୨।୭ : ବର୍ତ୍ତମାନ କଲିକତା ହାଇକୋର୍ଟକୁ ସ୍ଥାନାନ୍ତରିତ ହୋଇଥିବା ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଗୌରାଙ୍ଗ କାନ୍ତଙ୍କ ଏକ ଚିଠି ଭାଇରାଲ ହେବାରେ ଲାଗିଛି। ସେ ଦିଲ୍ଲୀ ପୋଲିସର ଯୁଗ୍ମ ସିପି ‘ସୁରକ୍ଷା’ ମଙ୍ଗେଶ କାଶ୍ୟପଙ୍କୁ ଏହି ଚିଠି ଲେଖିଛନ୍ତି। ଏହି ଚିଠିର ଏକ ନକଲ ସିଆରପିଏଫ ଡିଜି ଡକ୍ଟର ଏସ.ଏଲ ହଜାରେନ ଏବଂ ଆଇଜି ‘ପ୍ରଶାସନ’ ରାଜେଶ କୁମାରଙ୍କ ନିକଟକୁ ପଠାଯାଇଛି।

ଜଷ୍ଟିସ କହିଛନ୍ତି ତାଙ୍କ ବାସଭବନରେ ସୁରକ୍ଷା କର୍ମୀମାନେ ଠିକ ଭାବରେ କାର୍ଯ୍ୟ କରୁନାହାଁନ୍ତି। ବେପରୁଆ ସୁରକ୍ଷା କର୍ମୀଙ୍କ ଯୋଗୁଁ ତାଙ୍କୁ ପୋଷା କୁକୁରର ମୃତ୍ୟୁ ଘଟିଛି। ଏହି ଘଟଣାରେ ତୁରନ୍ତ ଏବଂ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଆରମ୍ଭ କରାଯିବା ଉଚିିତ। ଅଭିଯୁକ୍ତ ସୁରକ୍ଷା କର୍ମୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାବେଳେ ସେମାନଙ୍କୁ ନିଲମ୍ବନ କରନ୍ତୁ।

ଏହି ଚିଠି ୧୨ ଜୁନ ରେ ଲେଖାଯାଇଥିଲା। ତେବେ ବର୍ତ୍ତମାନ ଜଷ୍ଟିସ ଗୌରଙ୍ଗ କାନ୍ତଙ୍କୁ ସ୍ଥାନାନ୍ତର କରାଯାଇଛି। ଯୁଗ୍ମ ସିପିଙ୍କୁ ଲେଖିଥିବା ଚିଠିରେ ସେ କହିଛନ୍ତି ସୁରକ୍ଷା କର୍ମୀଙ୍କ କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ଭାବନା ଅଭାବ ରହିଛି। ତାଙ୍କର ଅପାରଗତା ହେତୁ ସେ ନିଜର ପୋଷା କୁକୁରକୁ ହରାଇଲେ। ମୁଁ ବାସଗୃହର ମୁଖ୍ୟ ଦ୍ୱାର ବନ୍ଦ ରଖିବାକୁ କହିଥିଲି, କିନ୍ତୁ ତାହା ପାଳନ କରାଯାଇ ନ ଥିଲା ।

ସେହି ସୁରକ୍ଷା କର୍ମୀମାନେ ସେମାନଙ୍କ କର୍ତ୍ତବ୍ୟରେ ବିଫଳ ହୋଇଥିଲେ। ସେମାନେ ଡ୍ୟୁଟିରେ ଅକ୍ଷମତା ଦେଖାଇଥିଲେ। ଏହି ବିଷୟ ପ୍ରତି ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ। ଏହି ପ୍ରକାର ସୁରକ୍ଷା କ୍ଷେତ୍ରରେ ମୁଁ ଏବଂ ମୋ ପରିବାର ଅସୁରକ୍ଷିତ। ତାଙ୍କର ଏହି ଅସାବଧାନତା ଆମ ପରିବାରର ସ୍ବାଧୀନତା ପାଇଁ ବିପଦ ହୋଇପାରେ। କିଏ ଭିତରକୁ ଆସୁଛି ଏବଂ କିଏ ଘରୁ ବାହାରକୁ ଯାଉଛି ସେଥିପ୍ରତି ସେମାନଙ୍କର ଧ୍ୟାନ ନାହିଁ। ଅଭିଯୁକ୍ତ ସୁରକ୍ଷା କର୍ମୀଙ୍କୁ ନିଲମ୍ବନ କରନ୍ତୁ। ସେମାନେ ସରକାରୀ ସେବା କରିବା ପାଇଁ ଯୋଗ୍ୟ ନୁହଁନ୍ତି ବୋଲି ବିଚାରପତି ଅଭିଯୋଗ କରିଛନ୍ତି।

Share