ମୁମ୍ବାଇ, ୩ା୯: କୋଭିଶିଲ୍ଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଜଣଙ୍କ ମୃତ୍ୟୁ ଘଟଣାରେ ବମ୍ବେ ହାଇକୋର୍ଟ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ଶୁକ୍ରବାର ନୋଟିସ ଜାରି କରି ଜବାବ ମାଗିଛନ୍ତି। ଡାକ୍ତର ଝିଅର ମୃତ୍ୟୁକୁ ନେଇ ଔରଙ୍ଗାବାଦର ଦିଲୀପ ଲୁନାଓ୍ବତ୍ ୧,୦୦୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରି ହାଇକୋର୍ଟରେ ପିଟିଶନ ଦାଏର କରିଥିଲେ। ୨୦୨୦ରେ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ବିଲ୍ ଓ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହଭାଗିତାରେ କୋଭିଶିଲ୍ଡ ଟିକାର ୧୦୦ ନିୟୁତ ଡୋଜ୍ ଉତ୍ପାଦନ ଓ ଯୋଗାଣ ପାଇଁ ଚୁକ୍ତି କରିଥିଲେ। ପିଟିଶନରେ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଡା. ଭି. ଜି ସୋମନି ଏବଂ ଏମ୍ସ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆଙ୍କୁ ପକ୍ଷଭୁକ୍ତ କରାଯାଇଛି।