Categories: ଜାତୀୟ

ନ୍ୟାଶନାଲ ହେରାଲ୍ଡ ମାମଲା: ସୋନିଆ-ରାହୁଲଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ,୨୨।୨: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଏମ୍‌ପି ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ନ୍ୟାଶନାଲ ହେରାଲ୍ଡ ମାମଲାରେ ଉଭୟଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ଭାଜପା ନେତା ସୁବ୍ରମଣ୍ୟମ୍‌ ସ୍ବାମୀଙ୍କ ଆବେଦନ ଆଧାରରେ ଏହି ନୋଟିସ୍‌ ଜାରି କରାଯାଇଛି। ଏହାଦ୍ୱାରା କଂଗ୍ରେସର ସଙ୍କଟ ବୃଦ୍ଧି ପାଇଛି। ନିମ୍ନ ଅଦାଲତରେ ଉପସ୍ଥାପନ କରାଯାଇଥିବା ପ୍ରମାଣ ଆଧାରରେ ମାମଲା ଜାରି ରଖିବାକୁ ସ୍ବାମୀ ଦିଲ୍ଲୀ ହାଇକୋର୍ଟଙ୍କଠାରୁ ଅନୁମତି ଲୋଡିଥିଲେ। ପୂର୍ବରୁ ନିମ୍ନ ଅଦାଲତ ଦାଖଲ କରାଯାଇଥିବା ପ୍ରମାଣ ଆଧାରରେ ସୋନିଆ ,ରାହୁଲ ସମେତ ଅନ୍ୟମାନଙ୍କ ବିରୋଧରେ ମୋକଦମା କରିବା ଲାଗି ଅନୁମତି ଦେବାକୁ ମନା କରିଥିଲେ। ଏହାପରେ ସ୍ବାମୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଫେବୃୟାରୀ ୧୧ରେ ନିମ୍ନ ଅଦାଲତ କହିଥିଲେ ଯେ, ଯାଞ୍ଚ୍‌ ସମାପ୍ତ ହେବା ପରେ ସ୍ବାମୀଙ୍କ ଦ୍ୱାରା ହୋଇଥିବା ଆବେଦନର ବିଚାର ଉପଯୁକ୍ତ ପ୍ରମାଣ ଆଧାରରେ ସିଆର୍‌ପିସି ଧାରା ୨୪୪ ଅନ୍ତର୍ଗତ କରାଯିବ। ବିଚାରପତି ସୁରେଶ କାଏତ ସୋନିଆ, ରାହୁଲ, ଏଆଇସିସି ଜେନେରାଲ ସେକ୍ରେଟାରୀ ଓସ୍କାର ଫର୍ନଡିଜ୍‌, ସୁମନ ଦୁବେ, ସାମ୍‌ ପିଟ୍ରୋଡା ଏବଂ ୟଙ୍ଗ୍‌ ଇଣ୍ଡିଆ ଆଦିଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ମାମଳାର ପରବର୍ତ୍ତୀ ଶୁଣାଣି ଏପ୍ରିଲ୍‌ ୧୨ରେ କରାଯିବ।

Share