ଏମ୍‌ଭି ଦେବୀ ଜାହାଜକୁ ବିକ୍ରି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପାରାଦୀପ,୨୨ା୮(ଶରତ ରାଉତ):୨୦୨୩ ନଭେମ୍ବର ୩୦ରେ ପାରାଦୀପ ବନ୍ଦରରେ ଲାଗିଥିବା ଏମ୍‌ଭି ଦେବୀ (ନଂ. ଆଇଏମ୍‌ଓ ୯୬୧୬୭୩୫) ଜାହାଜରୁ ୨୦ ପ୍ୟାକେଟ କୋକେନ୍‌ ଜବତ ହୋଇଥିଲା, ଯାହାର ବଜାର ମୂଲ୍ୟ ୨୨୦ କୋଟି ହେବ। ଏହା ପରେ ଆଙ୍କରେଜ ଏରିଆରେ ଏମ୍‌ଭି ଦେବୀ ଜାହାଜ ରହିଛି। ତେଣୁ ଏହାର ଭଡ଼ା ବାବଦ ଅର୍ଥ ପଇଠ କରିବା ଲାଗି ଘରୋଇ କମ୍ପାନୀ ପିଆଇସିଟି ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା। ଓଡ଼ିଶା ହାଇକୋର୍ଟ ମଙ୍ଗଳବାର ଏମ୍‌ଭି ଦେବୀ ଜାହାଜକୁ ବିକ୍ରି କରି ଅର୍ଥ ଆଦାୟ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ବିକ୍ରି ଅର୍ଥରେ ପାରାଦୀପ ବନ୍ଦରରେ ବର୍ଥ ପରିଚାଳନା କରୁଥିବା ଘରୋଇ କମ୍ପାନୀ ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) ତା’ର ଭଡ଼ା ଅର୍ଥ ପାଇବ। ଏଥିପାଇଁ ଆବେଦନକାରୀ ପିଆଇସିଟି କମ୍ପାନୀ ଆସନ୍ତା ୨୨ ତାରିଖ ସୁଦ୍ଧା ୩ ଲକ୍ଷ ଟଙ୍କା ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପାଖରେ ଦାଖଲ କରିବ। ଜାହାଜର ମୂଲ୍ୟ ଆକଳନ କରିବା ପାଇଁ ଆଡୋନିଆ ଅଫ୍‌ଶୋର କନ୍‌ସଲାଣ୍ଟ ପ୍ରାଇଭେଟ ଲିମିଟେଡ଼ କମ୍ପାନୀକୁ ଅଗ୍ରାଧିକାର ଦିଆଯାଇଛି। ସମ୍ପୃକ୍ତ କମ୍ପାନୀ ମୂଲ୍ୟ ଆକଳନ କରି ଆସନ୍ତା ୨୧ା୯ା୨୪ ସୁଦ୍ଧା ରିପୋର୍ଟ ଦେବ। ଏମିତି ଜାହାଜ ବିକ୍ରି କରି ଭଡ଼ା ଆଦାୟ ଉପରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ସେଥିରେ ଥିବା ୨୧ ଜଣ ବିଦେଶୀ ନାଗରିକଙ୍କ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇନାହିଁ। ଯଦ୍ଦ୍ବାରା ସେମାନଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ରହିଛି ବୋଲି ଆଲୋଚନା ହେଉଛି। ଘଟଣା ସମ୍ପର୍କରେ ପିଆଇସିଟି କମ୍ପାନୀ ମାନବସମ୍ବଳ ବିଭାଗ କର୍ମଚାରୀ ଶାରଦା ନାୟକଙ୍କୁ ପଚାରିବାରେ ସେ କିଛି ଜାଣି ନାହାନ୍ତି କହି ଏହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ। ଜାହାଜ ବିକ୍ରି ହେବା ପରେ ପିଆଇସିଟି କମ୍ପାନୀ ତା’ର ବର୍ଥ ଭଡ଼ା ବାବଦକୁ ୭ କୋଟି ୯୫ ଲକ୍ଷ ୪୭ ହଜାର ୧୩୦ ଟଙ୍କା ଓ ସୁଧ ୨୦ ଲକ୍ଷ ୩୬ ହଜାର ୩୪୫ ଟଙ୍କା ଏବଂ ଆଇନଗତ ଖର୍ଚ୍ଚ ୫୦ ଲକ୍ଷ ଟଙ୍କା ପାଇବା ପାଇଁ ଆବେଦନ କରିଥିଲା।
ସୂଚନାଯୋଗ୍ୟ, ଇଜିପ୍ଟର ପତାକା ଲାଗିଥିବା ଏମ୍‌ଭି ଦେବୀ ଜାହାଜ ଇଣ୍ଡୋନେସିଆ ଗ୍ରେସିକ୍‌ ବନ୍ଦରରୁ ପାରାଦୀପ ବନ୍ଦରକୁ ଆସିଥିଲା। ୨୦୨୩ ନଭେମ୍ବର ୩୦ ତାରିଖ ସାରେ ଜାହାଜ ପିଆଇସିଟି ବର୍ଥରେ ଲାଗିବା ପରେ ପ୍ରଥମେ କଷ୍ଟମ୍ସ ବିଭାଗର କର୍ମଚାରୀମାନେ ଯାଞ୍ଚ କରି କ୍ଲିୟରାନ୍ସ ଦେଇଥିଲେ। ପରେ ଜାହାଜରେ ଷ୍ଟିଲ କାର୍ଗୋ ବୋଝେଇ ହେଉଥିଲା। ରାତିରେ ଜାହାଜର କ୍ରେନ କ୍ୟାବିନ ଭିତରେ ଜଣେ ଅପରେଟର କଳା ପଲିଥିନରେ ଥିବା କିଛି ସାମଗ୍ରୀ ଦେଖି ଜାହାଜର କ୍ୟାପଟେନଙ୍କୁ ଜଣାଇଥିଲେ। ପରେ ପୋଲିସ ସିଆଇଏସ୍‌ଏଫ୍‌ ଯାଞ୍ଚ କରିବାରୁ ତାହା ଉନ୍ନତମାନର କୋକେନ୍‌ ବୋଲି ଜଣାପଡିଥିଲା। କଷ୍ଟମ୍ସ ବିଭାଗ ୨୨ଟି ପ୍ୟାକେଟରେ ଥିବା କୋକେନ୍‌କୁ ଜବତ କରିଥିଲା, ଯାହାର ବଜାର ମୂଲ୍ୟ ୨୨୦ କୋଟି ଟଙ୍କା ବୋଲି କଷ୍ଟମ୍ସ ବିଭାଗ ପ୍ରେସ୍‌ ବିବୃତିରେ ସୂଚନା ଦେଇଥିଲେ। ଏପରି କୋକେନ୍‌ କିପରି ଏବଂ କେଉଁ ପରିସ୍ଥିତିରେ ଜାହାଜର କ୍ରେନ ଭିତରକୁ ଆସିଲା, ତାକୁ ନେଇ ଏକାଧିକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ତଦନ୍ତ କରାଯାଇଥିଲା। ସେଥିରେ ଥିବା ୨୧ ଜଣ ନାବିକଙ୍କୁ ଅଟକ ରଖାଯାଇଛି। ଏ ପର୍ଯ୍ୟନ୍ତ ତଦନ୍ତ ଚାଲିଛି। ରହସ୍ୟ ଉନ୍ମୋଚନ ହୋଇନାହିଁ। ଦୀର୍ଘଦିନ ଧରି ପିଆଇସିଟି ବର୍ଥରେ ଜାହାଜ ରହିବା ଫଳରେ ବର୍ଥର ଭଡ଼ା ଜାହାଜ ମାଲିକ ଦେଇନାହାନ୍ତି। ଫଳରେ ପିଆଇସିଟି କମ୍ପାନୀ ଭଡ଼ା ପାଇବା ପାଇଁ ହାଇକୋର୍ଟରେ ଜୁରିସଡିକଶନ୍‌ ଆଣ୍ଡ ସେଟେଲମେଣ୍ଟ ଅଫ ମେରିଟାଇମ କ୍ଲେମ ଆଇନ ବଳରେ ଆବେଦନ କରିଥିଲେ। ଉକ୍ତ ଆବେଦନ ଉପରେ ହାଇକୋର୍ଟ ଏଡିଏମ୍‌ଏଲଏସ୍‌ ନଂ. ୧/୨୦୨୪ ପଞ୍ଜୀକୃତ କରିବା ସହ ଫେବୃଆରୀ ୨୩ରେ ଜାହାଜକୁ ଜବତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ମାମଲାରେ ଏବେ ଜାହାଜ ବିକ୍ରି ପାଇଁ ବିଚାରପତି ଭି. ନରସିଂହ ନିର୍ଦ୍ଦେଶ ଦେଇଛନ୍ତି। କୋକେନ୍‌ କିପରି ଆସିଲା ଓ କେଉଁଠିକୁ ଯାଇଥାନ୍ତା ସେ ସମ୍ପର୍କରେ ରିପୋର୍ଟ ସାର୍ବଜନୀନ ହୋଇନାହିଁ। ୨୧ ଜଣ ନାବିକ ଜାହାଜ ବିକ୍ରି ହେବା ପରେ କେଉଁଠି ରହିବେ ତାହା ମଧ୍ୟ ସଂଶୟ ସୃଷ୍ଟି କରିଛି। କଷ୍ଟମ୍ସ ବିଭାଗର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।