୩ ମାସରେ ରେରା ରୁଲ୍‌ ଆଣିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(କାର୍ତ୍ତିକ ସାହୁ)/ଭୁବନେଶ୍ୱର(ଅନିଲ ଦାସ),୧୧ା୭: ଆପାର୍ଟମେଣ୍ଟରେ ଫ୍ଲାଟ୍‌ କିଣାବିକା ଉପରେ ଥିବା ରହିତାଦେଶକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ରାଜ୍ୟ ସରକାର ନୂତନ ନିୟମ ନ ଆଣିବା ପର୍ଯ୍ୟନ୍ତ ଏହି ରହିତାଦେଶ ଜାରି ରହିବ। ଏଥିସହ ଆଗାମୀ ୩ ମାସ ମଧ୍ୟରେ ଫ୍ଲାଟ୍‌ ପଞ୍ଜୀକରଣର ନୂଆ ରୁଲ୍‌ ଆଣିବାକୁ ହାଇକୋର୍ଟ ସୋମବାର ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣିକରି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେବା ସହ ମାମଲାର ଅନ୍ତ ଘଟାଇଛନ୍ତି। ପ୍ରକାଶ ଯେ, ଓଡ଼ିଶା ରିଅଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି(ରେରା) ଆପାର୍ଟମେଣ୍ଟରେ ଫ୍ଲାଟ୍‌ ପଞ୍ଜୀକରଣ ପାଇଁ ଜାରି କରିଥିବା ନିୟମାବଳୀକୁ ଚ୍ୟାଲେଞ୍ଜ କରି ବିମଳେନ୍ଦୁ ପ୍ରଧାନଙ୍କ ସମେତ ଅନ୍ୟମାନଙ୍କ ପକ୍ଷରୁ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ଫ୍ଲାଟ୍‌ ପଞ୍ଜୀକରଣ ନେଇ ସ୍ବତନ୍ତ୍ର ଆଇନ ଆଣିବାକୁ ହାଇକୋର୍ଟରେ ଏହି ଆବେଦନ ହୋଇଥିଲା। ରେରା ନିୟମ ଉପରେ ହାଇକୋର୍ଟ ରହିତାଦେଶ ଦେବା ସହ ରାଜ୍ୟ ସରକାରଙ୍କୁ ନୂତନ ଆଇନ ପ୍ରଣୟନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସରକାର ନୂତନ ନିୟମାବଳୀ ପ୍ରଣୟନ କରିବାରେ ବିଫଳ ହେବାରୁ ପ୍ରାୟ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଫ୍ଲାଟ୍‌ କିଣାବିକା ନିମନ୍ତେ ପଞ୍ଜୀକରଣ ପ୍ରକ୍ରିୟା ବନ୍ଦ ଥିଲା। ତେବେ ରାଜ୍ୟ ସରକାର ଗତ ବିଧାନସଭା ଅଧିବେଶନରେ ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧିନିୟମ ୨୦୨୩ ଅନୁମୋଦନ କରିବାକୁ ଉପସ୍ଥାପନ କରିଥିଲେ। ହେଲେ ଶେଷ ମୁହୂର୍ତ୍ତରେ ତାହାକୁ ପ୍ରତ୍ୟାହାର କରିନେଇଥିଲେ। ନିକଟରେ ବିଧାନସଭା ଅଧିବେଶନ ନ ଥିବାରୁ ରାଜ୍ୟ ସରକାର ଅଧ୍ୟାଦେଶ ଜରିଆରେ ଉକ୍ତ ଅଧିନିୟମକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ଅଧ୍ୟାଦେଶକୁ ମେ’ ୨୯ରେ ଅନୁମୋଦନ କରାଯାଇଥିଲା। ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-୧୯୮୨(୧୯୮୪ର ଓଡ଼ିଶା ଧାରା ୧)କୁ ଉଚ୍ଛେଦ କରି ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧ୍ୟାଦେଶ-୨୦୨୩ କାର୍ଯ୍ୟକାରୀ କରିବା ନିମନ୍ତେ ଉକ୍ତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ରିଅଲ ଇଷ୍ଟେଟ୍‌ (ନିୟମାବଳୀ ଓ ବିକାଶ) ଅଧିନିୟମ-୨୦୧୬ ଏବଂ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ-୨୦୨୧ ମଧ୍ୟରେ ପରସ୍ପର ବିରୋଧାଭାସ ନିୟମ ରହିବାରୁ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ-୨୦୨୧ର ବିଜ୍ଞପ୍ତିକୁ ବିରୋଧ କରି ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ଏଥିଯୋଗୁ ଆପାର୍ଟମେଣ୍ଟ ପଞ୍ଜୀକରଣ ବର୍ଷେ ହେବ ବନ୍ଦ ରହିଛି। ଫଳରେ ବିକ୍ରୟ କବଲା ପଞ୍ଜୀକରଣ ହେଉ ନ ଥିବାରୁ ରାଜ୍ୟ ସରକାର ମଧ୍ୟ ରାଜସ୍ବ ହରାଉଛନ୍ତି। ଆପାର୍ଟମେଣ୍ଟକୁ ପ୍ରୋତ୍ସାହନ, ରକ୍ଷଣାବେକ୍ଷଣ ଓ ଉତ୍ତରାଧିକାରୀ ତଥା ହସ୍ତାନ୍ତର ଅଧିକାର ସୁନିଶ୍ଚିତ କରିବାକୁ ଅଧିନିୟମରେ ବ୍ୟବସ୍ଥା ରହିଛି। ଏଥିରେ ଆପାର୍ଟମେଣ୍ଟ ମାଲିକମାନଙ୍କର ସାଧାରଣ ଏରିଆ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ସ୍ଥାନ ଉପରେ ଅଧିକାର ବ୍ୟବସ୍ଥା ମଧ୍ୟ ରହିଛି। ତେବେ ନିୟମାବଳୀ ରୁଜୁ ହୋଇ ନ ଥିବା କାରଣରୁ ଅଧ୍ୟାଦେଶ କାର୍ଯ୍ୟକ୍ଷମ ହୋଇପାରୁ ନ ଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମୋହିତ ଅଗ୍ରଓ୍ବାଲ ମାମଲା ପରିଚାଳନା କରୁଥିଲେ।

Share