ଜଳ ଉତ୍ସ ଅବରୋଧମୁକ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଖୋର୍ଦ୍ଧା, ୨୮ା୮(ପ୍ରଭାତ ପାଣିଗ୍ରାହୀ): ଚାଷଜମିକୁ ଜଳ ଯୋଗାଣ ଉତ୍ସ ଅବରୋଧମୁକ୍ତ କରିବାକୁ ଏ ସଂକ୍ରାନ୍ତ ଆଗତ ଏକ ମାମଲାର ବିଚାର କରି ଓଡ଼ିଶା ହାଇକୋର୍ଟ ବେଗୁନିଆ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସପ୍ତାହକ ମଧ୍ୟରେ ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ହାଇକୋର୍ଟ କହିଛନ୍ତି।
ସାରୁଅ ଅଞ୍ଚଳରେ ଶିଳ୍ପାଞ୍ଚଳ ଗଢିଉଠିଛି। ଏଠାରେ ଇଡ୍‌କୋ ଠାରୁ ଜମି ପାଇ ଏକ ଘରୋଇ କମ୍ପାନୀ ନିଜ କାରଖାନା ପ୍ରତିଷ୍ଠା କରୁଛି। କମ୍ପାନୀ ପାଚେରୀ ନିର୍ମାଣ ଯୋଗୁ ସେହି ଜମିକୁ ଲାଗି ରହିଥିବା ଚାଷଜମି ପ୍ରଭାବିତ ହେଉଛି। କମ୍ପାନୀ ପକ୍ଷରୁ ଉଚ୍ଚ ପଥର ପାଚେରୀ ନିର୍ମାଣ ହେତୁ ଚାଷଜମିକୁ ପ୍ରାକୃତିକ ଉପାୟରେ ଆସୁଥିବା ଜଳ ଯୋଗାଣ ବାଧାପ୍ରାପ୍ତ ହେଉଛି। ଏପରିକି ଚାଷୀ ଯାତାୟାତ କରିବା ନେଇ ସମସ୍ୟା ଉପୁଜିଥିବା ବେଳେ ବର୍ଷାଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଛି। ସମ୍ପୃକ୍ତ ଜମିକୁ ଲାଗି ମୁଖ୍ୟରାସ୍ତା ନିକଟରେ ଜଳସେଚନ ନିମନ୍ତେ ଏକ ଶଙ୍ଖ ରହିଛି। ତେବେ ଉକ୍ତ କମ୍ପାନୀ ସେହି ଜଳଯୋଗାଣ ରାସ୍ତାରେ ବେଆଇନ ଭାବେ ବିରାଟ ପ୍ରାଚୀର କରୁଛି। ଏନେଇ ଚାଷୀମାନେ ଏକାଠି ଭାବେ କମ୍ପାନୀର ଏପରି କାର୍ଯ୍ୟ ସମ୍ପର୍କରେ ବେଗୁନିଆ ତହସିଲଦାର ଓ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ତେବେ ବାରମ୍ବାର ଅଭିଯୋଗ ସତ୍ତ୍ବେ ପ୍ରଶାସନଠାରୁ ନିରାଶ ହେବା ପରେ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ। ସରକାରଙ୍କ ସ୍ବତନ୍ତ୍ର ଆଇନ ମୁତାବକ ଯେକୌଣସି ପରିସ୍ଥିତିରେ ମଧ୍ୟ ଚାଷଜମିକୁ ଜଳସେଚନରୁ ବଞ୍ଚିତ ଅଥବା ପ୍ରାକୃତିକ ଜଳଉତ୍ସକୁ ବନ୍ଦ କରାଯାଇପାରିବ ନାହିଁ। କୌଣସି ଠାରେ ଏଭଳି ସମସ୍ୟା ସୃଷ୍ଟି ହେଲେ ପ୍ରଶାସନ ଏହାର ବିକଳ୍ପ ବ୍ୟବସ୍ଥା କରିବେ। ଚାଷ ଜମିକୁ ଜଳ ଯୋଗାଣ ଅଗ୍ରାଧିକାର ଭିତ୍ତିରେ ଦିଆଯିବ। ଏହି ନିୟମକୁ କାର୍ଯ୍ୟକାରୀ ସହ ସପ୍ତାହକ ମଧ୍ୟରେ ଚାଷୀଙ୍କ ସମସ୍ୟା ସମାଧାନ ଲାଗି ହାଇକୋର୍ଟ ସ୍ଥାନୀୟ ତହସିଲଦାରଙ୍କୁ ନିଦ୍ଦେର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ଉକ୍ତ କମ୍ପାନୀ ଚାଷଜମିକୁ ଜଳଯୋଗାଣ ବାଟ ଅବରୋଧ କରିଥିବାବେଳେ କମ୍ପାନୀକୁ ମିଳିଥିବା ଅନୁମୋଦିନ ପ୍ଲାନକୁ ନ ମାନି ବେଆଇନ ଭାବେ ପାଚେରୀ ନିର୍ମାଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏପରିକି ଏହି ନିର୍ମାଣକୁ ବନ୍ଦ କରିବା ପାଇଁ ଚାଷୀମାନେ ୧୪୪ ଧାରାର ସହଯୋଗ ନେଇଥିବା ସତ୍ତ୍ୱେ ସମ୍ପୃକ୍ତ କମ୍ପାନୀ ସ୍ଥାନୀୟ ଅସାମାଜିକ ବ୍ୟକ୍ତିଙ୍କ ସହାୟତାରେ ଜୋର ଜବରଦସ୍ତ ପ୍ରାଚୀର ନିର୍ମାଣ କରିଥିଲା। ଫଳରେ ଗତ ଦୁଇବର୍ଷ ହେବ ଚାଷୀମାନେ ସେହି ଜମିରେ ଚାଷବାସ କରିପାରୁ ନାହାନ୍ତି। ହାଇକୋର୍ଟଙ୍କ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଚାଷୀମାନେ ଦାବି କରିଛନ୍ତି।