କଟକ ଅଫିସ,୧୧।୮: ନିଜ ସମଲିଙ୍ଗୀ ସାଥୀଙ୍କୁ ଉଦ୍ଧାର ପାଇଁ ଜଣେ ଯୁବତୀ ହାଇକୋର୍ଟରେ ରୁଜୁ କରିଥିବା ହେବିୟସ୍ କର୍ପସ ମାମଲାର ଶୁଣାଣି ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ଯାଜପୁର ଏସ୍ପି ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି। ବରୀ ଥାନା ଅଧିକାରୀ ଯୁବତୀଙ୍କ ଘରକୁ ଯାଇ ତଦନ୍ତ କରିଥିବା ରିପୋର୍ଟରେ ଦର୍ଶାଯାଇଛି। ତଦନ୍ତ ବେଳେ ଜଣାପଡ଼ିଛି ଯେ, ବରୀର ଯୁବତୀ ଓ ଆବେଦନକାରିଣୀଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା। ଆବେଦନକାରିଣୀଙ୍କୁ ସେ ବିବାହ କରିବାକୁ ଚାହୁଁଥିବା ଯୁବତୀ ବୟାନ ଦେଇଛନ୍ତି। ଯୁବତୀଙ୍କ ମା’ ଓ ମାମୁ ପୋଲିସ୍କୁ ଲିଖିତ ଭାବେ ଜଣାଇଛନ୍ତି ଯେ, ସେମାନେ ତାଙ୍କୁ ବଳପୂର୍ବକୁ କେଉଁଠି ବିବାହ କରାଇବେ ନାହିଁ କି ନିର୍ଯାତନା ଦେବେ ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଲିଖିତ ରିପୋର୍ଟକୁ ସରକାରୀ ଆଇନଜୀବୀ ଶାଶ୍ୱତ ପଟ୍ଟନାୟକ ହାଇକୋର୍ଟରେ ଦାଖଲ କରିଛନ୍ତି। ବିଚାରପତି ଜଷ୍ଟିସ୍ ଏସ୍.କେ. ମିଶ୍ର ଓ ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ୧୭ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଶୁଣାଣି ବେଳେ ଭିଡିଓ କନଫରେନ୍ସ ଜରିଆରେ ଯୁବତୀଙ୍କୁ ହାଜର କରିବା ପାଇଁ ଯାଜପୁର ଏସ୍ପିଙ୍କୁ ନିର୍ଦ୍ଦେଶ ହୋଇଛି। ୨୦୧୧ରୁ ଆବେଦନକାରିଣୀ ଯୁବତୀ ଏବଂ ବରୀର ସଂପୃକ୍ତା ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଚାଲିଛି। ଲିଭ୍ ଇନ୍ ରିଲେସନ୍ଶିପ୍ରେ ରହିବା ପାଇଁ ୨୦୨୦ ମାର୍ଚ୍ଚ ୧୭ରେ ସେମାନେ ଭୁବନେଶ୍ୱର କାର୍ଯ୍ୟକାରୀ ମାଜିଷ୍ଟ୍ରେଟ୍ଙ୍କ ପାଖରେ ସତ୍ୟପାଠ ଦେଇଥିଲେ। ଏକଥା ଜାଣିବା ପରେ ବରୀର ଯୁବତୀଙ୍କ ତାଙ୍କ ମା’ ଓ ମାମୁ ବଳପୂର୍ବକ ଉଠାଇନେଇ ଆଉ ଜଣଙ୍କ ସହ ବିବାହ କରିବାକୁ ବାଧ୍ୟ କରୁଥିଲେ। ଏନେଇ ଆବେଦନକାରିଣୀ ଖଣ୍ଡଗିରି ଓ ବରୀ ଥାନାରେ ଏତଲା ଦେଇଥିଲେ। କାର୍ଯ୍ୟାନୁଷ୍ଠାନ ନ ହେବାରୁ ସେ ଜୁଲାଇ ୩ରେ ହାଇକୋର୍ଟ ଯାଇଥିଲେ।