Categories: ଜାତୀୟ

ଇସିଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

କୋଲକାତା/ନୂଆଦିଲ୍ଲୀ,୨୩ା୪: ଭାରତ କୋଭିଡ୍‌-୧୯କୁ ପରାଜିତ କରିଦେଇଛି ବୋଲି ଅନେକଙ୍କ ଭ୍ରାନ୍ତ ଧାରଣା ଥିଲା। ଏବେ ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ସରିଯାଇଛି ଆଉ ଶବାଗାରରେ ଗଦାଗଦା ମୃତଦେହ ପଡ଼ିରହିଛି। ଦେଶ ଏକ ଚରମ ଦୁର୍ଦ୍ଦଶାର ଟ୍ରାଜେଡିକୁ ଅଙ୍ଗେ ନିଭାଉଛି। ଭୂତାଣୁର ଅଭୂତପୂର୍ବ ସଂକ୍ରମଣ ପାଇଁ ଏକ ଭିନ୍ନ ଭାରିଆଣ୍ଟକୁ ଦାୟୀ କରାଯାଉଛି। ଅନ୍ୟପକ୍ଷେ ମହାମାରୀ ଯାଇନାହିଁ ଏବଂ ସତର୍କ ନ ହେଲେ ଆଗକୁ ଭେଳା ବୁଡ଼ିବ ବୋଲି ନିର୍ବାଚନ ପ୍ରଚାରରେ ମାତିଥିବା ନେତାମାନେ ଭୋଟରଙ୍କୁ ବୁଝାଇବାକୁ ଚାହିଁଲେ ନାହିଁ। ଶତ୍ରୁ କରୋନା ଉପରେ ବିଜୟ ଲାଭ କରାଯାଇଥିବା ଅପରିପକ୍ୱ ଭାବେ ଘୋଷଣା କରାଗଲା ଏବଂ ସାରା ଦେଶରେ ସେହି ଉତ୍‌ଫୁଲ୍ଲିତ ମନୋଭାବର ପ୍ରଚାର କରାଗଲା। ବିଶେଷକରି ଅର୍ଥନୀତି ତା’ ବାଟରେ ଗଡ଼ୁ ବୋଲି ଅଧିକ ଆଗ୍ରହୀ ଥିବା ନେତା ନିର୍ବାଚନ ପ୍ରଚାରରେ ମାତିଲେ। ଏହା ହିଁ ଭାଇରସ୍‌କୁ ପୁଣି ଥରେ ମୁଣ୍ଡ ଟେକିବାକୁ ସୁଯୋଗ ଦେଲା। ପରିଣାମସ୍ବରୂପ ଅଗଣିତ ମତଦାତା, କର୍ମୀ ଓ ପ୍ରାର୍ଥୀ ଦଶା ଭୋଗୁଛନ୍ତି। ସମ୍ଭବତଃ ଏଇଥିପାଇଁ ଟୁଇଟରରେ ‘ହ୍ୟାସ୍‌ଟ୍ୟାଗ୍‌ ମୋଦି ମେଡ୍‌ ଡିଜାଷ୍ଟର’ ଟ୍ରେଣ୍ଡ କରୁଛି।
ଦେଶରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ଭାବେ ମାଡ଼ିଚାଲିଥିବାବେଳେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଛନ୍ତି ଓ ହଜାର ହଜାର ଜୀବନ ଯାଉଛି। ଏଭଳି ସମୟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ୮ ପର୍ଯ୍ୟାୟରେ କରାଇବା ଘଟଣାକୁ ନେଇ କୋଲକାତା ହାଇକୋର୍ଟ ଗୁରୁବାର ନିର୍ବାଚନ କମିଶନ (ଇସି)ଙ୍କୁ ଭର୍ତ୍ସନା କରିଛନ୍ତି। ସେଠାରେ ପ୍ରତିଦିନ ବିଶାଳ ନିର୍ବାଚନୀ ରାଲି ଅନୁଷ୍ଠିତ ହେଉଛି, ଯେଉଁଥିରେ ଲକ୍ଷାଧିକ ଲୋକ ଯୋଗ ଦେଉଛନ୍ତି। ଏହି ର଼୍ୟାଲିଗୁଡ଼ିକ ଭୂତାଣୁର ସୁପର-ସ୍ପ୍ରେଡର ପାଲଟିଥିବା ନେଇ ଅଦାଲତ ଉଦ୍‌ବେଗ ପ୍ରକାଶ କରିବା ସହ ଏବାବଦରେ ଇସି ବିଶେଷ କିଛି କରୁ ନ ଥିବା ଅନୁଭବ କରିଛନ୍ତି। ନିର୍ବାଚନ କମିଶନଙ୍କର ଯଥେଷ୍ଟ କ୍ଷମତା ରହିଛି। ତେବେ କରୋନା ସମୟରେ ଏହି ସଂସ୍ଥା କ’ଣ କରୁଛି ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି। ଇସି କେବଳ ସର୍କୁଲାର ଜାରି କରି ଏହାକୁ ଲୋକଙ୍କ ଉପରେ ଛାଡ଼ିଦେଉଛନ୍ତି। ପୂର୍ବତନ ନିର୍ବାଚନ କମିଶନର ଟି.ଏନ୍‌. ଶେଷାନ ଯାହା କରିଥିଲେ, ଏବେ ଇସି ତା’ର ୧୦ ଭାଗରୁ ଭାବେ କାର୍ଯ୍ୟ କରୁ ନ ଥିବା ହାଇକୋର୍ଟ କହିଛନ୍ତି।
୯୦ ଦଶକରେ ଶେଷାନ ନିର୍ବାଚନ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିଲେ। ସେ ନିର୍ବାଚନୀ ଆଚରଣ ବିଧିକୁ କଠୋର ଭାବେ ଲାଗୁ କରିଥିଲେ, ଯେଉଁଥିପାଇଁ ଦୀର୍ଘବର୍ଷ ହେଲା ସେ ଚର୍ଚ୍ଚିତ ହୋଇ ରହିଛନ୍ତି। ସେତେବେଳର ନିର୍ବାଚନ କମିଶନର ନିରପେକ୍ଷ, ସମ୍ମାନିତ ଓ ଦୁଃସାହସୀ ଥିଲେ, ଯାହା ବର୍ତ୍ତମାନର ନିର୍ବାଚନ କମିଶନରଙ୍କ ପାଖରେ ଦେଖାଯାଉନାହିଁ ବୋଲି ୩ଟି ପିଟିଶନର ଶୁଣାଣି ବେଳେ ହାଇକୋର୍ଟର ମୁଖ୍ୟ ବିଚାରପତି କହିଛନ୍ତି। କୋଭିଡ୍‌ ଗାଇଡ୍‌ଲାଇନ କାର୍ଯ୍ୟକାରୀ କରିବାର ସାମ୍ବିଧାନିକ କ୍ଷମତା ଇସିଙ୍କର ନ ଥିବାରୁ କୋର୍ଟ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ଆବେଦନକାରୀ ଦର୍ଶାଇଥିଲେ। ସଂକ୍ରମଣ ଦ୍ରୁତ ବୃଦ୍ଧି ପାଉଥିବାରୁ ଅବଶିଷ୍ଟ ୩ ପର୍ଯ୍ୟାୟ ନିର୍ବାଚନକୁ ଏକତ୍ର କରିବା ଲାଗି ଟିଏମ୍‌ସି ନେତା ଡେରେକ୍‌ ଓ’ବ୍ରିଏନ ଏବଂ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କରିଥିବା ଆବେଦନକୁ କମିଶନ ପ୍ରତ୍ୟାଖ୍ୟାନ କରିଦେଇଥିଲେ। କୋଭିଡ୍‌ ନିରାପତ୍ତା ନିୟମାବଳୀ ଜାରି ହୋଇଥିବା ଇସି କହିଥିଲେ। ଇସି ନିର୍ବାଚନ ପ୍ରଚାର ସମୟ କମାଇଦେବା ସହ ମତଦାନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Share