Categories: ଜାତୀୟ

ସ୍ବାସ୍ଥ୍ୟସେବା ବ୍ୟୟବରାଦ ବିବରଣୀ ମାଗିଲେ ହାଇକୋର୍ଟ

ମୁମ୍ବାଇ,୫ା୧୦ : ମହାରାଷ୍ଟ୍ରର ନାଣ୍ଡେଡ୍‌ସ୍ଥିତ ଏକ ହସ୍ପିଟାଲରେ ଦୁଇ ଦିନରେ ୧୬ ଶିଶୁଙ୍କ ସମେତ ୩୫ ଜଣଙ୍କ ମୃତ୍ୟୁ ଘଟିବା ପରେ ବମ୍ବେ ହାଇକୋର୍ଟ ବୁଧବାର ନିଜଆଡ଼ୁ ମାମଲା ବିଚାର ପାଇଁ ଗ୍ରହଣ କରିଛନ୍ତି। ମାମଲାର ଶୁଣାଣି ଗୁରୁବାର ହେବାକୁ ଥିବାବେଳେ ରାଜ୍ୟ ସରକାରଙ୍କୁ ସ୍ବାସ୍ଥ୍ୟସେବା ବ୍ୟୟବରାଦ ସମ୍ପର୍କିତ ସବିଶେଷ ବିବରଣୀ ହାଇକୋର୍ଟ ମାଗିଛନ୍ତି।

ନାଣ୍ଡେଡ୍‌ର ଡା. ଶଙ୍କରାରାଓ ଚଭନ ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ଏତେ ସଂଖ୍ୟାରେ ରୋଗୀଙ୍କ ମୃତ୍ୟୁକୁ ନେଇ ମୁଖ୍ୟ ବିଚାରପତି ଡି.କେ. ଉପାଧ୍ୟାୟ ଏବଂ ଜଷ୍ଟିସ୍‌ ଅରିଫ୍‌ ଡକ୍ଟରଙ୍କ ଖଣ୍ଡପୀଠ ଉଦ୍‌ବେଗ ପ୍ରକାଶ କରିବା ସହ ସରକାରଙ୍କ ତରଫରୁ ଉପସ୍ଥିତ ଥିବା ଆଡଭୋକେଟ ଜେନେରାଲ ବୀରେନ୍ଦ୍ର ସରାଫଙ୍କୁ ଶୁକ୍ରବାର ସ୍ବାସ୍ଥ୍ୟ ବଜେଟ ବିବରଣୀ ଦାଖଲ କରିବାକୁ କହିଛନ୍ତି। ରୋଗୀ ମୃତ୍ୟୁକୁ ନେଇ ରାଜ୍ୟ ସରକାର ସମାଲୋଚିତ ହୋଇଛନ୍ତି। ଏହା ଦୁର୍ଭାଗ୍ୟଜନକ ଏବଂ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛୁ ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି।

 

Share