Categories: ଜାତୀୟ

୧୮ ବର୍ଷରୁ କମ୍‌ ବୟସ୍କ ମୁସଲମାନ୍‌ ବାଳିକା ବିବାହ ନେଇ ସରକାରଙ୍କ ଜବାବ ଲୋଡିଲେ ହାଇକୋର୍ଟ…

ନୈନିତାଲ, ୨୩।୭ : ୧୮ ବର୍ଷରୁ କମ ବୟସ୍କ ମୁସଲମାନ ବାଳିକାଙ୍କ ବିବାହକୁ ବେଆଇନ ଘୋଷଣା କରିବାକୁ ଚାହୁଁଥିବା ଏକ ଜନସ୍ବାର୍ଥ ମାମଲା ଉପରେ ଉତ୍ତରାଖଣ୍ଡ ହାଇକୋର୍ଟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଜବାବ ଲୋଡିଛନ୍ତି। ୟୁଥ ବାର୍‌ ଆସୋସିଏଶନ ଅଫ ଇଣ୍ଡିଆ ଦ୍ୱାରା ଏହି ଜନ ସ୍ବାର୍ଥ ମାମଲା ଦାଖଲ କରାଯାଇଛି।

ମୁଖ୍ୟ ବିଚାରପତି ବିପିନ ସାଙ୍ଘୀ ଏବଂ ବିଚାରପତି ଆର.ସି. କୋଲବୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ଆବେଦନ ଶୁଣାଣି କରି କେନ୍ଦ୍ର ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ଏହି ପ୍ରସଙ୍ଗରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନରେ କୁହାଯାଇଛି ଯେ ମୁସଲିମ ପର୍ସନାଲ ଆଇନ ୧୮ ବର୍ଷରୁ କମ ବୟସ୍କ ବାଳିକାମାନଙ୍କୁ ବିବାହ କରିବାକୁ ଅନୁମତି ଦେଇଥାଏ। ଏହି କାରଣରୁ, ଅଦାଲତ ଏନେଇ ସୁରକ୍ଷା ଯୋଗାଇବାକୁ ବାଧ୍ୟ। ଜନ ସ୍ବାର୍ଥ ମାମଲାରେ ଉଲ୍ଲେଖ କରାଯାଇଛି ଯେ ଏହିପରି ବିବାହ ଛୋଟ ଝିଅମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ। କମ୍‌ ବୟସରେ ଗର୍ଭବତୀ ହେବା ଦ୍ୱାରା ସେମାନଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେଉଥିବା ଆବେଦନରେ କୁହାଯାଇଛି ଏଥିରେ କୁହାଯାଇଛି ଯେ ୧୮ ବର୍ଷରୁ କମ ବୟସ୍କ ଝିଅମାନଙ୍କୁ ବିବାହ ଅନୁମତି ଦେବା ପୋକ୍ସୋ ଅଧିନିୟମ ଅନୁଯାୟୀ ଏକ ଅପରାଧ ଅଟେ।

ଏହି ବିବାହ କେବଳ ବେଆଇନ ଘୋଷିତ ହେବା ଉଚିତ ନୁହେଁ, ଯେଉଁମାନେ ବିବାହ ନାମରେ ୧୮ ବର୍ଷରୁ କମ ବୟସ୍କ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରହିଛି ସେମାନଙ୍କ ବିରୋଧରେ ମଧ୍ୟ ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି। ଜନସ୍ବାର୍ଥ ମାମଲାରେ ଏହା ମଧ୍ୟ ପରାମର୍ଶ ଦିଆଯାଇଛି ଯେ ଜଣେ ଝିଅଙ୍କର ବିବାହ ବୟସ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରାଯିବା ଉଚିତ। ଜାତି କିମ୍ବା ଧର୍ମ ନିର୍ବିଶେଷରେ ଏହା ଲାଗୁ କରାଯିବା ଜରୁରୀ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

Share