ଚିଙ୍ଗୁଡ଼ିଘେରି ସମ୍ପୂର୍ଣ୍ଣ ଉଚ୍ଛେଦ ଉପରେ ଗୁରୁତ୍ୱ

କଟକ ଅଫିସ,୧୨ା୮: ଚିଲିକା ଓ ଭିତରକନିକାର ଆର୍ଦ୍ରଭୂମି ସୁରକ୍ଷା ପ୍ରସଙ୍ଗରେ ଚିଙ୍ଗୁଡ଼ିଘେରି ଉଚ୍ଛେଦ ପ୍ରକ୍ରିୟାକୁ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ହେଉଥିବାବେଳେ ପୁନର୍ବାର ସେଠାରେ ଚିଙ୍ଗୁଡ଼ି ଘେରି ତିଆରି ହେଉଛି। ଏପରି କି କେତେକ ସ୍ଥାନରେ ପ୍ରଶାସନ ପକ୍ଷରୁ ଚିଙ୍ଗୁଡ଼ି ଘେରି ଭଙ୍ଗାଯାଇ ସମ୍ପୂର୍ଣ୍ଣ ଘେରି ଉଚ୍ଛେଦ ହେଉଥିବା ଅଦାଲତଙ୍କୁ ଦର୍ଶାଯାଉଛି। ଯାହାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ଆର୍ଦ୍ରଭୂମି ଅଞ୍ଚଳରେ ୨୪ ଘଣ୍ଟିଆ ପୋଲିସ ପାଟ୍ରୋଲିଂ ସତ୍ତ୍ୱେ ବେଆଇନ ଘେରି କିଭଳି ହେଉଛି ବୋଲି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ।
ସୂଚନା ଅନୁସାରେ, ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳରେ ତହସିଲଦାର ଓ ଆର୍‌ଆଇଙ୍କ ପ୍ରୋତ୍ସାହନରେ ଘେରି ହେଉଥିବା ହାଇକୋର୍ଟଙ୍କୁ ଆମିକସ୍‌କ୍ୟୁରି ଅବଗତ କରିଥିଲେ। ଆମିକସକ୍ୟୁରିଙ୍କ ରିପୋର୍ଟକୁ ଆଧାର କରି ହାଇକୋର୍ଟ କୃଷ୍ଣପ୍ରସାଦ ତହସିଲଦାର ଓ ବଜ୍ରକୋଟ ଆରଆଇଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରି ଆସନ୍ତା ୧୭ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ପୁରୀ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କେନ୍ଦ୍ରାପଡ଼ା ରାଜନଗର ତହସିଲ ଅଞ୍ଚଳରେ ଗୋଟିଏ ପାଖ ଘେରି ଭାଙ୍ଗି ଘେରି ଉଚ୍ଛେଦ କରାଯାଇଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ତେଣୁ କେନ୍ଦ୍ରାପଡ଼ା ଜିଲାପାଳ ଏହାର ତଦନ୍ତ କରି ସତ୍ୟପାଠ ଦାଖଲ କରିବା ସହ ପରବର୍ତ୍ତୀ ଶୁଣାଣି ବେଳେ ହାଇକୋର୍ଟରେ ଉପସ୍ଥିତ ରହିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲା ଜିଲାପାଳ ଓ ସ୍ଥାନୀୟ ତହସିଲଦାର ଉଚ୍ଛେଦ ଓ ପାଟ୍ରୋଲିଂ ତଦାରଖ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାଟେଲାଇଟ ଚିତ୍ର ଉତ୍ତୋଳନ କରି ସେହି ଅନୁସାରେ ଚିଲିକା ଭିତରେ ଥିବା ଚିଙ୍ଗୁଡ଼ି ଘେରିକୁ ଯେଭଳି ସମ୍ପୂର୍ଣ୍ଣ ନଷ୍ଟ କରାଯାଇପାରିବ, ସେଭଳି ପଦକ୍ଷେପ ଗ୍ରହଣ କରିବାକୁ କଡ଼ା ନିର୍ଦ୍ଦେଶ ରହିଛି । ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଜିଲାପାଳ ଓ ଏସ୍‌ପି ଚିଙ୍ଗୁଡ଼ି ଘେରି ଉଚ୍ଛେଦ ନେଇ ସବିଶେଷ ତଥ୍ୟ ସରକାରଙ୍କୁ ଜଣାଇବେ। ପରବର୍ତ୍ତୀ ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଅପଟୁଡେଟ ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ ଆର୍‌. କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଆମିକସ୍‌କ୍ୟୁରି ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।
ସୂଚନାଯୋଗ୍ୟ ଯେ, ସମଗ୍ର ଦେଶରେ ରହିଥିବା ଆର୍ଦ୍ରଭୂମିଗୁଡ଼ିକର ସୁରକ୍ଷା ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରି ୧୫ଟି ରାଜ୍ୟର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଅନୁସାରେ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରି ନିୟମିତ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ଜିଲା ପ୍ରଶାସନଗୁଡିକୁ ନିର୍ଦ୍ଦେଶ ଦେଉଛନ୍ତି।