‘ଉଚ୍ଚମାନର ଖଣିକୁ ନିମ୍ନମାନର ଦର୍ଶାଯାଉଛି’

ଭୁବନେଶ୍ବର,୧୩ା୯(ବ୍ୟୁରୋ):ଓଡ଼ିଶାର ଖଣି ଦୁର୍ନୀତି ‘ଭ୍ରଷ୍ଟାଚାର’ ନୁହେଁ, ଏକ ବିରାଟ ସ୍କାମ୍‌। ରାଜ୍ୟରେ ଥିବା ବିଭିନ୍ନ ଖଣି ଘରୋଇ ମାଲିକାନାରେ ରହିଛି। ଏଥିରୁ ବାହାରୁଥିବା ଉଚ୍ଚମାନର ଲୁହାପଥରକୁ ନିମ୍ନମାନର ବୋଲି ଦର୍ଶାଯାଉଛି, ଯାହାଫଳରେ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ହେଉଛି। ସରକାରୀ କଳ ଓ ଖଣି ମାଲିକମାନେ ମିଳିମିଶି ଏଭଳି ଷଡ଼ଯନ୍ତ୍ର କରୁଛନ୍ତି। ଉଚ୍ଚମାନର ଲୁହାପଥରକୁ ନିମ୍ନମାନର ଦର୍ଶାଯିବା ଫଳରେ ଜରିମାନା କ୍ଷେତ୍ରରେ ଲକ୍ଷେ ଟନ୍‌ରେ ୪୧ କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ୧୦ ଲକ୍ଷ ଟନ୍‌ରେ ୪୧୦ କୋଟି କ୍ଷତି ହୋଇଛି ବୋଲି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି।
ଅପରାଜିତା ସୋମବାର ଏକ ଖବରଦାତା ସମ୍ମିଳନୀ ଜରିଆରେ କହିଛନ୍ତି ଯେ, ସେହିପରି ଲମ୍ପ୍ସ କ୍ଷେତ୍ରରେ ଲକ୍ଷେ ଟନ୍‌ରେ ୬୨ କୋଟି ଓ ୧୦ ଲକ୍ଷ ଟନ୍‌ରେ ୬୨୦ କୋଟି ଟଙ୍କା କ୍ଷତି ହୋଇଛି। ନିମ୍ନମାନର ଲୁହାପଥର ଦର୍ଶାଇ ରପ୍ତାନି ହେବାରୁ ଏକ୍ସପୋର୍ଟ ଡ୍ୟୁଟି କମିଛି। ନିମ୍ନମାନର ଉତ୍ପାଦନ ଦ୍ୱାରା ବିକ୍ରି ମୂଲ୍ୟ ମଧ୍ୟ କମିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଯେଉଁ ଖଣିରୁ କମ୍‌ ପରିମାଣର ନିମ୍ନମାନର ଲୁହାପଥର ବାହାରିଥିଲା, ନିଲାମ ପରେ ୨୦୨୧-୨୨ରେ ସେହିସବୁ ଖଣିରୁ ନିମ୍ନମାନର ଲୁହାପଥର ଅଧିକ ପରିମାଣରେ ବାହାରିଲା। ଖଣି ଦୁର୍ନୀତିର ତଦନ୍ତ ପାଇଁ ଶାହା କମିଶନ ଗଠନ ହୋଇଥିଲା। ଶାହା କମିଶନଙ୍କ ରିପୋର୍ଟରୁ ରାଜ୍ୟରେ ୬୫ ହଜାର କୋଟି ଟଙ୍କାର ଭ୍ରଷ୍ଟାଚାର ହୋଇଥିବା ନେଇ ଜଣାପଡ଼ିଥିଲା। ରାଜ୍ୟ ସରକାର ଏନେଇ ଅବଗତ ଥିଲେ, ହେଲେ ଶାହା କମିଶନଙ୍କ ରିପୋର୍ଟକୁ ଗୁରୁତ୍ୱ ଦେଇ ନ ଥିଲେ। ଯଦି ରାଜ୍ୟ ସରକାର ଗୁରୁତ୍ୱ ଦେଇଥାନ୍ତେ, ରାଜ୍ୟର ରାଜସ୍ବ ବଢ଼ିଥାଆନ୍ତା। ୨୦ଟି ଘରୋଇ ଖଣିରେ ଦୁର୍ନୀତି ସମ୍ପର୍କିତ ତଥ୍ୟ ତାଙ୍କ ପାଖରେ ଅଛି ବୋଲି ସେ କହିଛନ୍ତି। ଏହାସହ ୬ଟି ଖଣିରେ ଦୁର୍ନୀତି ସମ୍ପର୍କରେ ତଥ୍ୟ ଦେଇଛି,ବାକି ୧୪ଟି ଖଣିର ଦୁର୍ନୀତି ସମ୍ପର୍କିତ ତଥ୍ୟ ଦେବି ବୋଲି ଅପରାଜିତା କହିଛନ୍ତି। ଅନ୍ୟପକ୍ଷରେ ଅପରାଜିତାଙ୍କ ଅଭିଯୋଗକୁ ଖଣ୍ଡନ କରି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ କହିଛନ୍ତି, ଖଣି ନିଲାମି ଓ ପରିଚାଳନାରେ ଓଡ଼ିଶା ସାରା ଦେଶରେ ଶ୍ରେଷ୍ଠ ରାଜ୍ୟ ପାଲଟିଛି। ଏଥିପାଇଁ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଓ ଖଣି ମନ୍ତ୍ରାଳୟ ପ୍ରଶଂସା କରିଛନ୍ତି। ଏବର୍ଷ ଆମେ ୫୦ ହଜାର କୋଟି ଟଙ୍କା ରାଜସ୍ବ ଆଦାୟ କରିଛୁ। ଅପରାଜିତାଙ୍କୁ ଅନୁରୋଧ ସେ ପ୍ରଧାନମନ୍ତ୍ରୀ ଓ ଖଣି ମନ୍ତ୍ରାଳୟକୁ ଏ ବିଷୟରେ ପଚାରନ୍ତୁ ବୋଲି ମନ୍ତ୍ରୀ ମଲିକ କହିଛନ୍ତି।