Categories: ଫୁରସତ

ଉଚ୍ଚ ବିଚାର କିନ୍ତୁ କାର୍ଯ୍ୟ ଶୂନ

କଠଉ ପିନ୍ଧିବାକୁ ଭଲ ପାଉଥିବା ଏବଂ ସମୟ ଓ ପରିସ୍ଥିତି ପାଇଲେ ଦିନରେ କିଛି ସମୟ କଠଉକୁ ଉପଯୋଗ କରୁଥିବା ଜଣେ ଶିକ୍ଷିତ ଆଧ୍ୟାତ୍ମିକ ବ୍ୟକ୍ତିଙ୍କୁ ସେଦିନ ଜଣେ ସାମ୍ବାଦିକ ବନ୍ଧୁ କହିଲେ- ଆପଣ କଠଉ ପିନ୍ଧି ପାପ ଅର୍ଜନ କରୁଛନ୍ତି l
ଏ କଥା ଶୁଣି ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ପ୍ରକଟ କଲେ l ଏହାର କାରଣ ଜାଣିବାକୁ ଜିଜ୍ଞାସା କରିବାରୁ ସାମ୍ବାଦିକ ଜଣକ କହିଲେ – ଯେଉଁ ପାଦରେ କଠଉ ଲାଗିଲା ସେ ପାଦରେ ଅନ୍ୟ କୌଣସି ଜୋତା ବା ଚପଲ ପିନ୍ଧିବା ଅନୁଚିତ l ଆପଣ ତ ଗୋଟିଏ କଲେଜର ପ୍ରିନ୍ସିପାଲ l ଅଫିସକୁ ଯିବା ବେଳେ ଆପଣ ତ ନିଶ୍ଚେ ଜୋତା ପିନ୍ଧୁଥିବେ l ତେଣୁ ଏଇଠି ପାପ ଅର୍ଜନ ହେଲା ବୋଲି ଜାଣ l

କଠଉ ପିନ୍ଧିଲେ ଶରୀର ପ୍ରତି ବହୁ ଉପକାର ମିଳେ l ବିଶେଷକରି ସ୍ନାୟୁଗତ ରୋଗ ହେବା ସମ୍ଭାବନା ଖୁବ୍‌ କମ l କଠଉ ଉପରେ ପାଦଟି କଠଉର ପୃଷ୍ଠ ତଳ ସହ ସମାନ୍ତରାଳ ଭାବେ ରହୁଥିବାରୁ ଏହା ଅନେକ ରୋଗ ନିବାରଣରେ ସାହାଯ୍ୟ କରେ l ଏହାର ପ୍ରାମାଣିକତା ଏବଂ ବୈଜ୍ଞାନିକତାକୁ ଜାଣିଥିବାରୁ ସାଧୁ ସନ୍ଥମାନେ ଆଗେ କଠଉର ବହୁଳ ବ୍ୟବହାର କରୁଥିଲେ l ଏବେ ଖୁବ୍‌ କମ୍‌ ସାଧୁସନ୍ଥ ଏହାକୁ ବ୍ୟବହାର କରୁଛନ୍ତି l କଠଉ ଅପେକ୍ଷା ଏବେ କପଡ଼ାରେ ତିଆରି ଜୋତାକୁ ଅନେକେ ପସନ୍ଦ କରୁଥିବା ଦେଖାଯାଉଛି l କିନ୍ତୁ ଜୋତା ପିନ୍ଧୁଥିବା ବ୍ୟକ୍ତି ଯେ କଠଉ ପିନ୍ଧିପାରିବ ନାହିଁ କିମ୍ବା କଠଉ ପିନ୍ଧୁଥିବା ଲୋକଟି ଜୋତା ବ୍ୟବହାର କରିଦେଲେ ଯେ ଗୋଟିଏ କ’ଣ ମହାପାପ ହୋଇଯିବ, ଏକଥା କାହିଁକି ଗ୍ରହଣଯୋଗ୍ୟ ମନେହୁଏନା l ଯଦି ବି ଏପରି କିଛି ବୈଧାନିକ ସତର୍କତା କୌଣସି ଶାସ୍ତ୍ରରେ ଥାଏ ତେବେ ଏହା ମୂଳରେ ଥିବା ପ୍ରକୃତ ତତ୍ତ୍ୱଟିକୁ ସାମ୍ବାଦିକ ବନ୍ଧୁ ବୁଝିବାକୁ ସମର୍ଥ ହୋଇପାରି ନାହାନ୍ତି ବୋଲି ଅନୁମାନ କରାଯାଇପାରେ l ଆପଣ କ’ଣ କଠଉକୁ ସବୁବେଳେ ବ୍ୟବହାର କରନ୍ତି? ବୋଲି ବ୍ୟକ୍ତି ଜଣକ ଯେତେବେଳେ ସାମ୍ବାଦିକଙ୍କୁ ଓଲଟା ପଚାରିଲେ ସେ ଉତ୍ତର ଦେଲେ – ନା, ମୁଁ ବ୍ୟବହାର କରେନା l ଠାକୁରଘରେ ଦୁଇହଳ କଠଉ ରଖି କେବଳ ମୁଁ ପୂଜାକରେ l

ଆରେ ବାବା, ଇୟେ ତ ଆହୁରି ମାରାତ୍ମକ କଥା l ଗୀତା, ଭାଗବତ ଆଦି ପବିତ୍ର ପୁସ୍ତକକୁ ଠାକୁରଘର ଗାଦି ଉପରେ ରଖି ପୂଜା କରିବା ଉଚିତ। କିନ୍ତୁ ଏତିକିରେ ଅଟକିଗଲେ କିଛି ଲାଭ ହେବନି l ସେଗୁଡିକୁ ପାଠକରି ଏବଂ ବୁଝି ସେଥିରୁ କିଛି କିଛି ନିଜ ଜୀବନରେ ପ୍ରୟୋଗ କରିବା ବି ଉଚିତ l ସେମିତି କଠଉ କଥା l ନିଜ ଗୁରୁଦେବ କି କୌଣସି ବ୍ରହ୍ମ ଲୀନ ସନ୍ଥଙ୍କର ପାଦୁକାକୁ ପ୍ରତିଦିନ ଭକ୍ତିରେ ପୂଜା କରିବାରେ କିଛି ଅସୁବିଧା ନାହିଁ, କିନ୍ତୁ ଅନ୍ୟ ହଳେ କଠଉ ତିଆରି କରି ତାହାକୁ ବ୍ୟବହାର କରି ସେଥିରୁ ସୁଫଳ ପାଇବା ପାଇଁ ତ ତୁମକୁ କିଏ ମନା କରିନି? ତୁମେ ନିଜେ ଯଦି କଠଉ ବ୍ୟବହାର କରି ନ ପାରିଲ ତେବେ ଅନ୍ୟ ଜଣେ ଯିଏ ଯଦି ତାକୁ ବ୍ୟବହାର କରୁଛି ବା କରିବାର ଅଭ୍ୟାସ କରୁଛି ତେବେ ତାଙ୍କୁ ବିଭିନ୍ନ ମନଗଢ଼ା ଶାସ୍ତ୍ରନୀତି କଥା କହି ହତୋତ୍ସାହିତ କରିବାଟା ଯେ ଗୁରୁତର ଅପରାଧ, ଏହାକୁ ବି ମନେରଖିବା ଉଚିତ l ଏ ପ୍ରକାର କଥା କହୁଥିବା ଲୋକଟି ଯେ ନିଜ ଅଜାଣତରେ ନିଜର ସଂଗୁପ୍ତ ହୀନମନ୍ୟତା ବା ମାନସିକ ବିକୃତିକୁ ମୁଠା ମୁଠା କରି ବାହାରେ ବୁଣୁଛି, ଏହା ସେ ନିଜେ ଜାଣି ପାରେନା l କଠଉକୁ ସମ୍ପୂର୍ଣ୍ଣ ବ୍ୟବହାର ନ କରିବା ଅବା ଖଟୁଲିରେ ରଖି ପୂଜା କରିବା ଅପେକ୍ଷା କେତେବେଳେ କେମିତି ସୁବିଧା ସୁଯୋଗ ପାଇଲେ ତାକୁ ପିନ୍ଧି ସେଥିରୁ ମିଳୁଥିବା ସାମୟିକ ସୁଫଳକୁ ହାତେଇବା ନିଶ୍ଚିତ ଭାବେ ଯେ ମହାନ୍‌ କଥା, ଏ ତତ୍ତ୍ୱକୁ ମାନସିକ ବିକାରଗ୍ରସ୍ତ ଏ ଲୋକଗୁଡିକ କେମିତି ବୁଝିବେ କେଜାଣି? ଭରତଙ୍କ ‘ପାଦୁକା ପୂଜା ’ପ୍ରସଙ୍ଗରୁ ରାମ ଆଦି ଚାରି ଭାଇ କଠଉ ପିନ୍ଧୁ ଥିବାର ପ୍ରମାଣ ମିଳେ l କିନ୍ତୁ କେତେବେଳେ କେମିତି ଯୁଦ୍ଧ କ୍ଷେତ୍ରରେ ଯୋଦ୍ଧା ଭାବେ ଅବତୀର୍ଣ୍ଣ ହେଉଥିଲେ ସେତେବେଳେ ସେମାନେ ଯେ କଠଉ ପିନ୍ଧୁଥିବେ ଏହା କଦାପି କୁହାଯାଇ ନ ପାରେ l

ପରିସ୍ଥିତିକୁ ଦେଖି ଶାସ୍ତ୍ର ନିୟମର ଦ୍ୱାହିଦେଇ ଏମିତି ମନଗଢ଼ା କଥା କହୁଥିବା ଲୋକମାନଙ୍କ ସଂଖ୍ୟା ସମାଜରେ କିଛି କମ୍‌ ନୁହେଁ l ନିଜର ସାଧନା ଘର ଶୂନ ଅବା ସାଧନା କରୁଥିଲେ ବି ସ୍ବଭାବଗତ ଆଚରଣର ଶୂନ୍ୟତା ଥିବା ବହୁ ଲୋକ ସମାଜର ସବୁ ସମୟରେ ଥାଆନ୍ତି l ଖଟ ଉପରେ ବସି ଜପ କରୁଥିବା ଜଣେ ଲୋକଟିକୁ ଦେଖି ଜିଭ କାମୁଡି ଆଉ ଜଣେ ବୟସ୍କ ଲୋକ କହିଲା – ଭାଇ ! ପୁଣି ଖଟ ଉପରେ… ! ଖଟ ଉପରେ ବସି କ’ଣ ଜପ କରନ୍ତି? ମହାପାପ… ମହାପାପ.. l ଏକଥା ଶୁଣି ଜପ କରୁଥିବା ଲୋକଟି କହିଲା, ତେବେ ଆପଣ କାହା ଉପରେ ବସି ଜପ କରନ୍ତି? ବୟସ୍କ ବ୍ୟକ୍ତିଟି କହିଲା -ମୁଁ ଜପ ଫପ କରେନା l ସେଗୁଡିକୁ କରିବା ପାଇଁ ମୋ ପାଖରେ ସମୟ କାହିଁ?

ରାମାୟଣରେ ଗୋଟିଏ କାଣ୍ଡ ଅଛି l ତା’ ନାଁ ହେଉଛି ‘ସୁନ୍ଦରାକାଣ୍ଡ ’ l ଏହାର ନାଁ ସୁନ୍ଦରା କାଣ୍ଡ ହେବାର ଯଥାର୍ଥତା ହେଉଛି ଏଥିରେ ଗୋଟିଏ ଭକ୍ତଙ୍କର କଥା ଆଲୋଚନା ହୋଇଛି l ସେ ଭକ୍ତ ଜଣକ ହେଉଛନ୍ତି ହନୁମାନ l

ଦ୍ୱିତୀୟ କଥା ହେଉଛି ଏଇ ‘ସୁନ୍ଦରାକାଣ୍ଡ’ କୁ ଘରେ ପାରାୟଣ କଲେ ଘର ପରିବେଶ ସୁନ୍ଦର ହୁଏ l ପରିବାରର ସବୁ ସଦସ୍ୟ ମନ ମିଳାଇ ଚଳନ୍ତି l ପ୍ରତି ମଙ୍ଗଳ କିମ୍ବା ଶନିବାରରେ ଘରେ ଭକ୍ତିପୂର୍ବକ ପାଠକରି ଏହାର ମାହାତ୍ମ୍ୟକୁ ଅନୁଭବ କରାଯାଇପାରେ l ଏହାର ପୂର୍ବ କାଣ୍ଡ ଏବଂ ପର କାଣ୍ଡର ନାଁ ହେଉଛି ଯଥାକ୍ରମେ କିଷ୍କିନ୍ଧାକାଣ୍ଡ ଏବଂ ଲଙ୍କାକାଣ୍ଡ l

ବିଚାର ଏବଂ କାର୍ଯ୍ୟ – ଏହା ହେଉଛି ସଫଳତାର ଦୁଇ ଚାବି l ବିନା ବିଚାରରେ ପ୍ରତ୍ୟେକଟି କାର୍ଯ୍ୟ ନିଷ୍ଫଳ l କେବଳ ବିଚାର କରି ଚାଲୁଥିବ କିନ୍ତୁ କାର୍ଯ୍ୟ କରିବନି, ତେବେ କେବେ ବି ସଫଳତା ମିଳିବନି l କିଷ୍କିନ୍ଧାକାଣ୍ଡରେ ବିଚାର ଅଛି କିନ୍ତୁ କାର୍ଯ୍ୟ ନାହିଁ l ଋଷ୍ୟମୁକ ପର୍ବତ ଉପରେ ନିଜ ଅନୁଚରଙ୍କ ସହ ସୁଗ୍ରୀବ ବସିଥିବା ବେଳେ ରାବଣ ଆକାଶ ମାର୍ଗରେ ସୀତାଙ୍କୁ ଅପହରଣ କରିନେଇ ଯାଉଥିଲା l ସୁଗ୍ରୀବ ଦେଖିଲେ l ବହୁ ବିଚାର କଲେ କିନ୍ତୁ କିଛି କରିପାରିଲେ ନାହିଁ l ସେଇ ଦୃଶ୍ୟକୁ ଦେଖିଲା ଗୋଟିଏ ଶାଗୁଣା ପକ୍ଷୀ l

ଜଟାୟୁ l ସେ କିନ୍ତୁ ଛାତି ପାତି ଦେଲା l ପର୍ବତ ପରି ଉଚ୍ଚ ଆସନରେ ସୁଗ୍ରୀବ ପରି ବସିଥିବା ବହୁ ସମ୍ମାନାସ୍ପଦ ବ୍ୟକ୍ତି ଆମ ସମାଜରେ ଅଛନ୍ତି l ସମାଜର ଉନ୍ନତି ପାଇଁ ସେମାନେ ବହୁ ବିଚାର ଆଲୋଚନା କରନ୍ତି l ବହୁତ ଯୋଜନା କରନ୍ତି କିନ୍ତୁ କାର୍ଯ୍ୟ ଘରଟି ଶୂନ ଥିବାରୁ ସେମାନଙ୍କ ଯାବତୀୟ ବିଚାର, ଅନ୍ୟକୁ ଉପଦେଶ ଆଦି ନିଷ୍ଫଳ ପ୍ରମାଣିତ ହୁଏ l

ଲଙ୍କାକାଣ୍ଡରେ କାର୍ଯ୍ୟ ଅଛି କିନ୍ତୁ ବିଚାର ନାହିଁ l କିଷ୍କିନ୍ଧାକାଣ୍ଡର ଠିକ୍‌ ଓଲଟା l ରାବଣର ଦରବାରରେ ଖବର ପହଞ୍ଚିଗଲା ଯେ ବାନର ସେନା ସେତୁବନ୍ଧ ବାନ୍ଧି ସlରିଲେଣି l ଖବର ଶୁଣି ଉପସ୍ଥିତ ସଭିଏଁ ହାଃ ହାଃ ହୋଇ ହସିଲେ l କହିଲେ, ଭାଲୁ ଓ ମର୍କଟ ତ ଆମର ଆହାର l ଗୋଟି ଗୋଟି କରି ଖାଇଦେବା l

ଏହା ଶୁଣି ରାବଣର ଅନ୍ୟ ଏକ ପୁତ୍ର ପ୍ରହସ୍ତ କହିଲା – ତନ୍ମଧ୍ୟରୁ ଗୋଟିଏ ମାଙ୍କଡ଼ ପରା ପୂର୍ବରୁ ଆସି ଲଙ୍କା ଜାଳି ଦେଇ ଯାଇଛି l ସେତେବେଳେ ତାକୁ ତୁମେ ଖାଇ ଦେଲନି? ସେତେବେଳେ ତୁମ ସମସ୍ତଙ୍କର ପେଟରେ ଗ୍ୟାସ୍‌ ବା ବଦହଜମୀ ହୋଇଥିଲା ବୋଧେ??

ବିଚାର ଆଉ କାର୍ଯ୍ୟର ମଧୁର ସମନ୍ବୟ ଘଟିଛି ‘ସୁନ୍ଦରାକାଣ୍ଡ’ରେ l  ସେଥିପାଇଁ କିଷ୍କିନ୍ଧାକାଣ୍ଡର ଠିକ୍‌ ପରେ ଏବଂ ଲଙ୍କାକାଣ୍ଡର ଠିକ୍‌ ପୂର୍ବରୁ ଗୋସ୍ବାମିଜୀ ‘ସୁନ୍ଦରାକାଣ୍ଡ’କୁ ସଂସ୍ଥାପନ କରି ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି l

ବିଚାର ଏବଂ କାର୍ଯ୍ୟ ଭିତରେ ସମ୍ବନ୍ଧ ରହିଲେ ଜୀବନଟି ମଧୁର ହୁଏ l ବିଚାର ଅନୁସାରେ କାର୍ଯ୍ୟ ଏବଂ କାର୍ଯ୍ୟଟି ବିଚାରର ପୃଷ୍ଟଭୂମି ଉପରେ ରହିଲେ, ସଫଳତା ନାମକ ଚିଜଟି ଯେ ସହଜ ଲଭ୍ୟ ହୋଇପାରେ, ଏକଥା ପ୍ରତ୍ୟେକ ମଣିଷ ବୁଝିବା ଉଚିତl

-ଦିବ୍ୟାଲୋକ ସନ୍ଧାନେ, ରାମନଗର, ତେଲେଙ୍ଗାପେଣ୍ଠ, କଟକ
ମୋ: ୯୪୩୭୨୯୨୬୯୯

Share