ନୂଆଦିଲ୍ଲୀ,୨୨ ।୧୧: ଦେଶରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ସତର୍କ ହୋଇଯାଇଛନ୍ତି । ଯେଉଁ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି ସେହି ରାଜ୍ୟରେ କେନ୍ଦ୍ରର ସ୍ୱତନ୍ତ୍ର ଟିମକୁ ନିଯୁକ୍ତ କରାଯିବ । ଏହି ଟିମ୍ କରୋନା ସମ୍ପର୍କରେ ରାଜ୍ୟକୁ ସାହାଯ୍ୟ କରିବେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, କେନ୍ଦ୍ର ସରକାର କୋଭିଡ-୧୯ ପ୍ରତିକ୍ରିୟା ଓ ପ୍ରବନ୍ଧନରେ ରାଜ୍ୟକୁ ସାହାଯ୍ୟ କରିବା ଲାଗି ଉତ୍ତର ପ୍ରଦେଶ, ପଞ୍ଜାବ ଓ ହିମାଚଳ ପ୍ରଦେଶରେ ଉଚ୍ଚ ସ୍ତରୀୟ କେନ୍ଦ୍ରୀୟ ଟିମ୍ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି । ଏହି ରାଜ୍ୟରେ ବେଳକୁ ବେଳ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫,୨୦୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୦.୯୫ ଲକ୍ଷରେ ପହଞ୍ଚିଛି । ଏପଟେ ସୁସ୍ଥଙ୍କ ସଂଖ୍ୟା ୮୫,୨୧,୬୧୭ରେ ପହଞ୍ଚିଲାଣି ।