ପରୀକ୍ଷା ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ କରିବାକୁ ଉଚ୍ଚସ୍ତରୀୟ କମିଟି ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ,୨୬ା୬: ଏନ୍‌ଇଇଟି-ୟୁଜି ସମେତ ଅନ୍ୟାନ୍ୟ ପରୀକ୍ଷା ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ ଓ ଦୁର୍ନୀତିମୁକ୍ତ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟିର ପ୍ରଥମ ବୈଠକରେ ଆଲୋଚନା ହୋଇଥିଲା। ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ସୁନିଶ୍ଚିତ କରିବା ପାଇଁ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡ. କେ. ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ୭ ଜଣିଆ କମିଟି ବୈଠକରେ ନିଷ୍ପତ୍ତି ହୋଇଛି।

ନିଷ୍ପତ୍ତି ଅନୁଯାୟୀ, କମିଟିର ସଦସ୍ୟମାନେ ବ୍ୟକ୍ତିଗତ ଭାବେ ଏବଂ ଡିଜିଟାଲ ମିଡିଆ ଜରିଆରେ ଛାତ୍ରୀଛାତ୍ର, ସେମାନଙ୍କ ଅଭିଭାବକଙ୍କ ସହ ଯୋଗାଯୋଗ କରି ପରୀକ୍ଷା ପ୍ରକ୍ରିୟାକୁ ନେଇ ସେମାନଙ୍କଠାରୁ ପ୍ରସ୍ତାବ ଗ୍ରହଣ କରିବ। ସେମାନଙ୍କ ଉଦ୍‌ବେଗ ଏବଂ ପ୍ରସ୍ତାବଗୁଡ଼ିକ ଉପରେ ବିଚାରବିମର୍ଶ କରାଯିବ। ଦ୍ୱିତୀୟ ପ୍ରାଥମିକତା ଭାବେ ଦେଶର ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼, ଜାଲିଆତିବିହୀନ ଏବଂ ତ୍ରୁଟିଶୂନ୍ୟ କରାଯିବ। ପିଲାମାନଙ୍କ ଅସୁବିଧା ଓ ସେମାନଙ୍କ ଉପରେ ପଡ଼ୁଥିବା ଚାପ କମ୍‌ କରାଯିବ। ପରୀକ୍ଷା ବ୍ୟବସ୍ଥାକୁ ଅଧିକ ନମନୀୟ କରାଯିବ ବୋଲି ରାଧାକ୍ରିଷ୍ଣନ କହିଛନ୍ତି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ସମ୍ମୁଖୀନ ହୋଇଥିବା ବର୍ତ୍ତମାନର ସ୍ଥିତି ଏବଂ ଚ୍ୟାଲେଞ୍ଜଗୁଡ଼ିକୁ କମିଟି ଅନୁଧ୍ୟାନ କରିଥିଲା।

Share