ଉଚ୍ଚସ୍ତରୀୟ ତଦନ୍ତ ଦାବିକଲା କଂଗ୍ରେସ

ଭୁବନେଶ୍ୱର,୨୫।୮(ବ୍ୟୁରୋ):  ପୁରୀ ବଗଲା ଧର୍ମଶାଳା ଜମି ବିକ୍ରିରେ ଆଇନକାନୁନକୁ ଜଳାଞ୍ଜଳି ଦିଆଯାଇ ନାହିଁ, ଶ୍ରୀମନ୍ଦିର ସୁରକ୍ଷା କରିଡର ନଁାରେ ସରକାର ଅଧିଗ୍ରହଣ କରିଥିବା ସମସ୍ତ ଜମି ବିବାଦୀୟ ଏବଂ ବେଆଇନ। ବଗଲା ଧର୍ମଶାଳା ଜମି ଲୋଭ ଦେଖାଇ ସରକାର ଏବଂ ଜିଲା ପ୍ରଶାସନ ଶ୍ରୀମନ୍ଦିରଠାରୁ ୭୫ ମିଟର ପରିଧି ଭିତରେ ଜମି ହରାଇଥିବା ବହୁ ବ୍ୟକ୍ତି ଓ ଲଜ୍‌ ମାଲିକଙ୍କୁ ଭଣ୍ଡାଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କହିଛି। ପ୍ରଦେଶ କଂଗ୍ରେସ ପକ୍ଷରୁ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳ ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷା କରିଡର ନଁାରେ ହୋଇଥିବା ଜମି ଅଧିଗ୍ରହଣ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ ଓ ପୁନର୍ବାସ ଥଇଥାନ ଆଇନ ୨୦୧୩ ମୁତାବକ କରାଯାଇନାହିଁ। ଏପରିକି ବଗଲା ଧର୍ମଶାଳା ଜମିକୁ ଯେଭଳି ଚଞ୍ଚକତା କରି ମହାପ୍ରଭୁ ଜଗନ୍ନାଥଙ୍କ ନଁାରେ ଥିବା ଜମି ରାଜସ୍ବ ବିଭାଗକୁ ହସ୍ତାନ୍ତର କରାଗଲା ତାହା ବେଆଇନ। ସରକାର ନିୟମ ଉଲ୍ଲଂଘନ କରିଛନ୍ତି ବୋଲି ସତ୍ୟ ଅଭିଯୋଗ କରିଛନ୍ତି।
ସୁରକ୍ଷା କରିଡର ପାଇଁ ଜମି ନେଲା ବେଳେ ସରକାର ଲୋକଙ୍କୁ ଅନ୍ଧାରରେ ରଖି ଆଇନତଃ ଜମି ଅଧିଗ୍ରହଣ ନ କରି ଲୋକଙ୍କଠାରୁ କିଣାବିକା କରିଛନ୍ତି। ୨୦୧୫ରେ ମନ୍ଦିର ନିକଟରେ ଯେଉଁ ଅଳ୍ପ କେତେକ ପ୍ଲଟ୍‌କୁ ସରକାର ନେଇଥିଲେ ସେତେବେଳେ ଡିସିମିଲ ପିଛା ୧,୦୮,୬୧୨ ଟଙ୍କା ହିସାବରେ ମୂଲ୍ୟ ନିର୍ଦ୍ଧାରଣ କରିଥିଲେ। ଏହାର ୪ବର୍ଷ ପରେ ସେହି ଜମି ମୂଲ୍ୟ ଡିସିମିଲ୍‌ ପିଛା ୫୮,୮୮୯ ଟଙ୍କା ସ୍ଥିର କରିଛନ୍ତି। ଅର୍ଥାତ୍‌ ଡିସିମିଲ ଉପରେ ପ୍ରାୟ ୫୦ ହଜାର ଟଙ୍କା କିପରି କାଟିଲେ ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଜିଲାପାଳ ନିଜେ ସର୍ବୋଚ୍ଚ ରାଜସ୍ବ ଅଧିକାରୀ ଏବଂ ଲଜିଂ ହାଉସ୍‌ ଫଣ୍ଡ ଅଧ୍ୟକ୍ଷ ହିସାବରେ ଲଜିଂ ହାଉସ୍‌ ଫଣ୍ଡ ନଁାରେ ଥିବା ସ୍ଥିତିବାନ ଜମିକୁ ବେଆଇନ ଭାବେ ସରକାରୀ ଖାତାକୁ ନେବା ଧର୍ତ୍ତବ୍ୟ ଅପରାଧ ବୋଲି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଛନ୍ତି। ଏଥିସହ ଜିଲାପାଳଙ୍କ ବଦଳି କରିବାକୁ ମଧ୍ୟ ଦାବି କରିଛନ୍ତି।

Share