Categories: ରାଜ୍ୟ

ଆନ୍ଧ୍ର ଉପକୂଳରେ ସୃଷ୍ଟି ହେଲା ଗୁରୁଚାପ, ୭ରୁ ବଢ଼ିବ ତାତି

ଭୁବନେଶ୍ୱର,୨୮ା୨: ଆନ୍ଧ୍ର ଉପକୂଳରେ ଏକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟକୁ ଜଳୀୟ ବାଷ୍ପ ଆସୁଥିବାରୁ ପାଗ ମେଘୁଆ ରହିବା ସହ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ତଳେ ରହୁଛି। ତେବେ ଆସନ୍ତା ମାର୍ଚ୍ଚ ୨ ତାରିଖରୁ ବାୟୁ ପ୍ରବାହର ଦିଗ ପରିବର୍ତ୍ତନ ହେବା ସହ ତାତି ବଢ଼ିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରକୁ ଉଠିଯିବ। ତେବେ ରାତ୍ରି ଆରାମଦାୟକ ରହିବ। ମାତ୍ର ମାର୍ଚ୍ଚ ୭ ତାରିଖରୁ ପାରଦ ଆହୁରି ଉପରମୁହାଁ ହେବ। ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀକୁ ଛୁଇଁବ।

ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଆସନ୍ତା ୩/୪ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ବୁଧବାର ରାଜ୍ୟରେ ମାଲକାନଗିରିଠାରେ ସର୍ବୋଚ୍ଚ ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ ଥିବାବେଳେ ଭୁବନେଶ୍ୱରରେ ୩୫.୬ ଡିଗ୍ରୀ ରହିଛି। ତେବେ ରାତ୍ରିର ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରୀ ସେଲସିୟସ ତଳେ ରହୁଛି।

Share