Advertisement

ଭଙ୍ଗା ଟାଇଲ ଛପର ଘରେ ହାଇସ୍କୁଲ ଚାଲିଛି

ନୂଆଗାଁ,୧୨।୬ (ଡି.ଏନ.ଏ.): ସରକାର ଛାତ୍ରୀଛାତ୍ରଙ୍କୁ ସ୍କୁଲ ଅଭିମୁଖୀ କରାଇବା, ନୂତନ ଜ୍ଞାନକୌଶଳରେ ଡିଜିଟାଲ ମାଧ୍ୟମରେ ଶିକ୍ଷାଦାନ କରାଇବାକୁ ଲକ୍ଷାଧିକ ଟଙ୍କା ବ୍ୟୟ କରୁଥିବା ବେଳେ ନୂଆଗାଁ ବ୍ଲକରେ ଥିବା ହାଇସ୍କୁଲର ମୌଳିକ ଆବଶ୍ୟକତା ପ୍ରତି ଦୃଷ୍ଟି ଦିଆଯାଉନାହିଁ। ଯାହା ଫଳରେ ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଜାକେଡ଼ା ପଞ୍ଚାୟତରେ ଦୀର୍ଘ ୨୯ ବର୍ଷ ଧରି ଟାଇଲ ଛପର ଘରେ ଚାଲିଛି ହାଇସ୍କୁଲ ପାଠପଢ଼ା।
ନୂଆଗାଁ ବ୍ଲକ ଆଦିବାସୀ ଅଧ୍ୟୁଷିତ ଜାକେଡ଼ା ପଞ୍ଚାୟତର କନ୍ଧଖାଲମଡ଼ା, ସିମିଳିସାହି, ମଣ୍ଡାଡ଼ିହ, ଜାକେଡ଼ା, କୁଟିବାରି ଆଦି ଗ୍ରାମର ଛାତ୍ରୀଛାତ୍ରଙ୍କ ଶିକ୍ଷାର ସୁବିଧା ଦୃଷ୍ଟିରୁ ୧୯୯୪ରେ ଜାକେଡ଼ା ଗ୍ରାମପଞ୍ଚାୟତ ହାଇସ୍କୁଲ ପ୍ରତିଷ୍ଠା କରାଯାଇଥିଲା। ସେହି ସମୟରେ ଅଞ୍ଚଳବାସୀଙ୍କ ସହାୟତାରେ ସ୍କୁଲ ପାଇଁ କାଠ ବ୍ୟବହାର କରି ଗୋଟିଏ ଅଫିସ ଗୃହ, ୨ଟି ଶ୍ରେଣୀ ପାଇଁ ୨ଟି ଟାଇଲ ଛପର ଗୃହ ନିର୍ମାଣ କରାଯାଇଥିଲା, ଯାହା ଅଦ୍ୟାବଧି ରହିଛି। ଚଳିତ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ୩୦ ଜଣ ଛାତ୍ରୀଛାତ୍ର ରହିଥିବା ବେଳେ ଦଶମରେ ୪୦ ଛାତ୍ରୀଛାତ୍ର ଅଛନ୍ତି। ଦୀର୍ଘବର୍ଷର ଘର ହେତୁ ସେଥିରେ ବ୍ୟବହାର କରାଯାଇଥିବା କାଠସବୁ ପୋକ ଖାଇ ଖତରା ହୋଇଗଲାଣି। ତେଣୁ ଟାଇଲ ଛପରକୁ ରଖିବା ପାଇଁ ଶ୍ରେଣୀଗୃହ ଓ ବାରଣ୍ଡାରେ କାଠବହ୍ଲା ଦିଆଯାଇଛି। ବର୍ଷାହେଲେ ପାଣି ଗଳୁଛି। ଘରର ସ୍ଥିତି ଦେଖିଲେ ଶ୍ରେଣୀଗୃହରେ ବସି ପାଠ ପଢ଼ିବା ତ ଦୂରର କଥା ଭିତରକୁ ଯିବାକୁ ମଧ୍ୟ ଡର ଲାଗିବ। ଜୀବନକୁ ଜଳାଞ୍ଜଳି ଦେଇ ବିପଦକୁ ଆଖିରେ ଦେଖୁଥିଲେ ମଧ୍ୟ ସେଠାରେ ବସି ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି ଛାତ୍ରୀଛାତ୍ର। ସ୍କୁଲ ପାଇଁ ପକ୍କାଘରଟିଏ ନିର୍ମାଣ କରିବା ନିମନ୍ତେ ଅଞ୍ଚଳବାସୀ, ସ୍କୁଲ ପରିଚାଳନା କମିଟି, ଶିକ୍ଷୟିତ୍ରୀଶିକ୍ଷକମାନେ ବାରମ୍ବାର ପ୍ରଶାସନ ଓ ନେତାମାନଙ୍କୁ ଗୁହାରି କରୁଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ମିଳୁଛି ହେଲେ ଗୃହ ନିର୍ମାଣ କରିବାକୁ ଅନୁଦାନ ମିଳୁନାହିଁ। ଗୋଟିଏ ପଟେ ୫-ଟି ଯୋଜନାରେ ସ୍କୁଲଗୁଡ଼ିକୁ ରୂପାନ୍ତର କରି ସ୍କୁଲରେ ସ୍ମାର୍ଟ କ୍ଲାସ୍‌ରୁମ, କମ୍ପ୍ୟୁଟର ରୁମ୍‌, ବିଜ୍ଞାନାଗାର, ଇ-ଲାଇବ୍ରେରି ଆଦି ନିର୍ମାଣ କରିବା ସହ ରଙ୍ଗ ବେରଙ୍ଗରେ ସ୍କୁଲଗୁଡିକୁ ସଜଡ଼ା ଯାଉଛି। ଅନ୍ୟପକ୍ଷେ ସ୍କୁଲର ମୌଳିକ ଆବଶ୍ୟକତାକୁ ଅଣଦେଖା କରିବା ସରକାରଙ୍କ ଶିକ୍ଷାନୀତିକୁ ଉପହାସ କଲାଭଳି ମନେହୁଏ। ତେବେ ଜାକେଡା ପଞ୍ଚାୟତ ହାଇସ୍କୁଲର ଗୃହ ନିର୍ମାଣ ପାଇଁ ପ୍ରଶାସନିକ ଅଧିକାରୀ ଓ ନେତାଙ୍କ ଇଚ୍ଛାଶକ୍ତିର ଅଭାବ ନା ସ୍କୁଲଗୃହ ନିର୍ମାଣ ଲାଗି ସରକାରଙ୍କ ନିକଟରେ ଅର୍ଥର ଅଭାବ ତାହା ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍କୁଲ ଗୃହ ପାଇଁ ଅନୁଦାନ ବାବଦରେ ନୂଆଗଁା ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀଙ୍କୁ ପଚାରିବାରେ ସରକାର ସବୁ ହାଇସ୍କୁଲକୁ ୫ଟି ଯୋଜନାରେ ସାମିଲ କରିବା ପାଇଁ ଘୋଷଣା କରିଛନ୍ତି। କିନ୍ତୁ ଗୃହ ନିର୍ମାଣ ପାଇଁ କୌଣସି ଅନୁଦାନ ଦିଆଯାଇନାହିଁ ବୋଲି ଏବିଇଓ ସେଠୀ କହିଛନ୍ତି।

Share