ଆଜିଠୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଯାଞ୍ଚ କଡ଼ାକଡ଼ି

ଭୁବନେଶ୍ୱର, ୨୩।୬(ସତ୍ୟଜିତ୍‌ ରାଉତ): ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ନ ଥିଲେ ଚାଳକ ତଣ୍ଡ ଗଣିବେ। ଜୁନ୍‌ ୨୩ ଅର୍ଥାତ ଶୁକ୍ରବାରଠାରୁ ଏନେଇ ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ ହେବା ସହ ନିୟମ ପାଳନ କରୁ ନ ଥିବା ଗାଡ଼ି ଚାଳକଙ୍କଠାରୁ ଇ-ଚାଲାଣ କଟାଯିବ। ଏନେଇ ଗତ ଜୁନ୍‌ ୮ରେ ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର୍‌ ଏବଂ ଏନଫୋର୍ସମେଣ୍ଟ (ସଡ଼କ ସୁରକ୍ଷା) ଲାଲମୋହନ ସେଠୀ ଏକ ଭିଡିଓ ଜାରି କରି ସୂଚନା ଦେଇଥିଲେ। ତେବେ ସେହି ଅନୁଯାୟୀ ଶୁକ୍ରବାରଠାରୁ ଏହି ଯାଞ୍ଚ ଅଧିକ କଡ଼ାକଡ଼ି କରାଯିବ ବୋଲି ସୂଚନା ମିଳିଛି। ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର୍‌ ସେଠୀ କହିଥିଲେ, ନିୟମ ପାଳନ କରୁ ନ ଥିବା ଗାଡ଼ି ଚାଳକଙ୍କଠାରୁ ଇ-ଚାଲାଣ କଟାଯାଇ ୫ ହଜାର କିମ୍ବା ୧୦ ହଜାର ଜରିମାନା ହେବ। ଯଦି ଗୋଟିଏ ଗାଡ଼ି ପ୍ରଥମ ଥର ଲାଗି ଧରାପଡ଼େ ତାକୁ ୫ ହଜାର ଟଙ୍କା ଜରିମାନା କରାଯିବ। ଦ୍ୱିତୀୟ ଥର ଲାଗି ସେହି ଗାଡ଼ି ଧରାପଡ଼ିଲେ ତାକୁ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ ବୋଲି ସେ କହିଥିଲେ। ଓଡ଼ିଶା ରେଜିଷ୍ଟ୍ରେସନ୍‌ ମାର୍କ ଥିବା ତଥା ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ୍‌ ପ୍ଲେଟ୍‌ (ଏଚଏସ୍‌ଆର୍‌ପି) ଲଗାଇବାକୁ କୁହାଯାଇଥିଲା। ଏହାର ଅବଧି ଚଳିତ ବର୍ଷ ଫେବୃୟାରୀ ୨୮ରୁ ଶେଷ ହୋଇସାରିଛି। ତେବେ ଏ ନେଇ ଅଧିକ ସୂଚନା ପାଇଁ ସେଠୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟୋ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ।

Share