Categories: ଜାତୀୟ

‘ଓକିଲଙ୍କୁ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ଯୋଗାଉ କେନ୍ଦ୍ର’

ନୂଆଦିଲ୍ଲୀ, ୨୭ା୬: ଗ୍ରାମାଞ୍ଚଳ, ଆଦିବାସୀ, ଦୁର୍ଗମ ଅଞ୍ଚଳରେ ଯୋଗାଯୋଗର ଦୁର୍ବଳ ମାଧ୍ୟମ ନ୍ୟାୟ ପ୍ରଦାନ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌. ଭି. ରମନା। ସାରା ଦେଶରେ ହଜାର ହଜାର ଯୁବ ଓକିଲଙ୍କ ଜୀବିକା ମଧ୍ୟ ଏଥିଯୋଗୁ ପ୍ରଭାବିତ ହେଉଛି। ତେଣୁ ଦୁର୍ଗମ ଅଞ୍ଚଳର ଓକିଲମାନଙ୍କ ପାଇଁ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସୁବିଧା ଯୋଗାଇଦେବାକୁ ସିଜେଆଇ ରମନା କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ଆଇନ ବୃତ୍ତିଧାରୀଙ୍କୁ ସରକାର ଆଗଧାଡ଼ିର ଯୋଦ୍ଧା ଘୋଷଣା କରି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କରୋନା ଟିକା ଦେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଆର୍‌. ଭି, ରବୀନ୍ଦ୍ରନଙ୍କ ‘ଆନୋମାଲିସ୍‌ ଇନ୍‌ ଲ ଆଣ୍ଡ ଜଷ୍ଟିସ୍‌’ ପୁସ୍ତକ ଉନ୍ମୋଚନ ଅବସରରେ ସିଜେଆଇ କହିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କୁ ନେଇ ନିକଟରେ ଅନୁଷ୍ଠିତ ଦୁଇ ଦିନିଆ ସମ୍ମିଳନୀରେ ଉନ୍ନତ ଡିଜିଟାଲ ସଂଯୋଗୀକରଣ ମୁଖ୍ୟ ପ୍ରସଙ୍ଗ ଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଆଇନ, ଯୋଗାଯୋଗ ଏବଂ ଆଇଟି ମନ୍ତ୍ରୀଙ୍କ ନିକଟକୁ ସିଜେଆଇ ଚିଠି ଲେଖିଛନ୍ତି। ଡିଜିଟାଲ ଅସୁବିଧା ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଏବଂ ମହାମାରୀରେ ଜୀବିକା ହରାଇଥିବା ଓକିଲମାନଙ୍କୁ ସାହାଯ୍ୟ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

Share