ପ୍ରୟାଗରାଜ, ୧୪।୧୦: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ବେଗରେ ଯାଉଥିବା ଏକ କାର ନିୟନ୍ତ୍ରଣ ହରାଇ ଗୋଟିଏ କେନାଲ ମଧ୍ୟକୁ ଖସି ପଡ଼ିଛି। ଫଳରେ ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ସେହିଭଳି ଜଣେ ମହିଳା ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି।
ଘଟଣାଟି ପ୍ରୟାଗରାଜର ବହରିଆ ପୋଲିସ ଷ୍ଟେସନ ଅନ୍ତର୍ଗତ କରକଟେପୁର ଅଞ୍ଚଳରେ ଘଟିଛି। ଦ୍ରୁତ ବେଗରେ ଯାଉଥିବା ଏକ ମାର୍ଶଲ ଗାଡ଼ି ନିୟନ୍ତ୍ରଣ ହରାଇ କେନାଲ ମଧ୍ୟକୁ ଖସି ପଡ଼ିଥିଲା। ଏହି ଭୟଙ୍କର ଦୁର୍ଘଟଣାର ଶବ୍ଦ ଶୁଣି ଆଖପାଖର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାରରୁ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା। କିନ୍ତୁ ଡାକ୍ତର ସେଠାରେ ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ। ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ଏକ ସମ୍ପର୍କୀୟଙ୍କ ଉତ୍ସବରେ ଯୋଗ ଦେବା ପାଇଁ ସମସ୍ତେ ପ୍ରତାପଗଡ଼ରୁ ଆସିଥିଲେ।