ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ସାମିଲ୍‌ ହେଲେ ଅନାଥ ଓ କିନ୍ନର ଶିଶୁ, ଉଚ୍ଚଶିକ୍ଷା ପାଇଁ ମିଳିବ ସହାୟତା

ଭୁବନେଶ୍ବର,୩୦।୧: ଅନାଥ, ବାଲ୍ୟ ବିବାହ ସମୟରେ ଉଦ୍ଧାର ହୋଇଥିବା ଶିଶୁ ଓ କିନ୍ନର ଶିଶୁଙ୍କୁ ରାଜ୍ୟ ସରକାର ଉଚ୍ଚଶିକ୍ଷା ପାଇଁ ସହାୟତା ଯୋଗାଇଦେବେ। ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ପାଇଁ ସେମାନଙ୍କୁ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ସାମିଲ କରିଛନ୍ତି ନବୀନ ସରକାର। ୨୦୨୩-୨୪ ଶିକ୍ଷାବର୍ଷର ହୋଇଥିଲେ ମଧ୍ୟ ସେମାନଙ୍କୁ ଏହି ସୁବିଧା ମିଳିବ। ବର୍ତ୍ତମାନ ରାଜ୍ୟ ସରକାର ଉଚ୍ଚଶିକ୍ଷା ପାଇଁ ଏଥିରେ ଆଉ ତିନି ବର୍ଗଙ୍କୁ ସାମିଲ କରିଛନ୍ତି। ଏଥିସହ ଯୋଜନାକୁ କାର୍ଯ୍ୟକାରୀ କରୁଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତୀକରଣ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗକୁ ଚିଠି ଲେଖାଯାଇଛି।

ସୂଚନାଯୋଗ୍ୟ, ୨୦୧୮-୧୯ ବର୍ଷରୁ ରାଜ୍ୟରେ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏଥିରେ ଅସହାୟ ଓ ଆର୍ଥିକ ଅନଗ୍ରସର ବର୍ଗର ଶିଶଙ୍କୁ ଉଚ୍ଚଶିକ୍ଷା ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।
ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ପାଇଁ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ଛାତ୍ରୀଛାତ୍ରଙ୍କୁ ବାର୍ଷିକ ୨୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ଏହି ସହାୟତା ପାଇବାପାଇଁ ଛାତ୍ରୀଛାତ୍ରମାନେ ପାଠ ପଢୁଥିବା ଶିକ୍ଷାନୁଷ୍ଠାନ ଜରିଆରେ ଆବେଦନ କରିଥାନ୍ତି।

Share