ଡ. ସୁବାସ ଚନ୍ଦ୍ର ପାତ୍ର
ସରକାରଙ୍କ ଅନ୍ୟାନ୍ୟ ବିଭାଗଗୁଡ଼ିକ ଉଚ୍ଚଶିକ୍ଷା ବିଭାଗକୁ ଈର୍ଷା କରନ୍ତି, କାରଣ ଏଠି କିଛି ନ କଲେ ବି ଚକ ଗଡ଼ିବା ନ୍ୟାୟରେ ସବୁ ଚାଲେ। ଏଠି ଗଜାମରୁଡ଼ି ହୁଏ ନାହିଁ, ଭୁଲ୍ ଇଞ୍ଜେକ୍ସନ ନେଇ ରୋଗୀ ମରନ୍ତିନି, ବାତ୍ୟା କାହାର ଘର ଉଜାଡ଼ି ଦିଏ ନାହିଁ, ହଠାତ୍ କାହାରି ଏଠି ମୃତ୍ୟୁ ହୁଏ ନାହିଁ ଅବା ଅବ୍ୟବସ୍ଥା ମଣିଷର ଛାତି ଥରେଇ ଦିଏ ନାହିଁ। ଯାହା ବି ହୁଏ, ‘ଧୀର ବିଷ’ ଭଳି ଆସ୍ତେ ଆସ୍ତେ ହୁଏ। କିନ୍ତୁ ଶୈକ୍ଷିକ ଅନଗ୍ରସରତାର ଶିକାର ହୋଇ, ପ୍ରତିଯୋଗିତା ବଜାରରେ ଅଲୋଡ଼ା ହୋଇ ପାରିବାରିକ ଓ ସାମାଜିକ ବୋଝ ପାଲଟିବା କ୍ରମରେ ଅବାଟକୁ ଯିବା ଅବା ଅସାମାଜିକ କର୍ମରେ ଲିପ୍ତ ହେବା ମଧ୍ୟ ଏକ ପ୍ରକାର ଆତ୍ମିକ ମୃତ୍ୟୁ। ତେବେ ଏତେକଥା ଭାବିବାକୁ ବିଭାଗର ଅବା ଆମ ବୁଦ୍ଧିଜୀବୀମାନଙ୍କର ସମୟ ନାହିଁ।
ସୁଖ ନିଦ୍ରାରେ ଅସୁବିଧା ନାହିଁ, ତେବେ ନିଦ୍ରାଟି ଯେତେବେଳେ ଅତି ଦୀର୍ଘ ହୋଇଯାଏ ତାହା ବାଧେ। ସାଧାରଣ ଭାବରେ ସରକାରଙ୍କ କୌଣସି ନୀତି କାର୍ଯ୍ୟକାରୀ କରିବାକୁ କେତେବର୍ଷ ଲାଗେ ବା ଲାଗିବା ଉଚିତ? ୪୦ ବର୍ଷ ତ ନୁହେଁ? ଅଶୀ ଦଶକରେ କେନ୍ଦ୍ର ସରକାର ଏକ ନୂତନ ଶିକ୍ଷାନୀତି ପ୍ରଣୟନ କରି ୧୦+୨+୩ ବ୍ୟବସ୍ଥା ଚାଲୁକରିବା କ୍ରମରେ ଯୁକ୍ତ୨କୁ ସ୍କୁଲସ୍ତରକୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦେଲେ। ୧୯ ବର୍ଷ ଏହା ଶୀତଳଭଣ୍ଡାରରେ ରହିଲା। ୧୯୯୯ରେ ସରକାର କାଗଜରେ ଯୁକ୍ତ୨ ଓ ଯୁକ୍ତ୩କୁ ବିଭାଜନ କଲେ। ଶିକ୍ଷକ, ଭିତ୍ତିଭୂମି, କର୍ମଚାରୀ ମିଶାମିଶି ରହିଲା। ଏହା ଭିତରେ ୨୨ ବର୍ଷ ବିତିଗଲାଣି। ଓଡି଼ଶାରେ ଯୁକ୍ତ୨ ଯୁକ୍ତ୩ରୁ ସମ୍ପୂର୍ଣ୍ଣ ଭାବରେ ବିଚ୍ଛେଦ ହୋଇପାରିଲା ନାହିଁ। ୩୪ଟି ସରକାରୀ କଲେଜ ଓ ୨୫୫ଟି ପୂର୍ଣ୍ଣ ସାହାଯ୍ୟପ୍ରାପ୍ତ କଲେଜରେ ଏହି ମିଶ୍ରିତ ପାଠପଢ଼ା ଚାଲିଛି। କେତେ ଶିକ୍ଷାଦାନ ଦିବସ ଯେ ନଷ୍ଟ ହେଲାଣି, କେତେ ଅବାଞ୍ଛିତ କର୍ମକାଣ୍ଡ ଯେ ଘଟି ଚାଲିଛି, ତାହାର ହିସାବ କାହା ପାଖରେ ନାହିଁ। ଯୁକ୍ତ୨ରେ ପରୀକ୍ଷା ଅବା ସାଂସ୍କୃତିକ କାର୍ଯ୍ୟକ୍ରମ ହେଲେ ଯୁକ୍ତ୩ରେ ପାଠପଢ଼ା ବନ୍ଦ ରହେ; ଯୁକ୍ତ୩ରେ ନିର୍ବାଚନ ଓ ପରୀକ୍ଷା ହେଲେ ଯୁକ୍ତ୨ ଶ୍ରେଣୀ ବନ୍ଦ ରହେ। ଅନେକ ସମୟରେ ଅଧିକାରଜନିତ ବାଦବିସମ୍ବାଦରେ ଯୁକ୍ତ୨ ଓ ଯୁକ୍ତ୩ ଅଧ୍ୟକ୍ଷମାନଙ୍କ ଅଧିକାଂଶ ସମୟ ବିତେ, ଯାହା ସ୍ଥଳବିଶେଷରେ ଛାତ୍ରୀଛାତ୍ରଗହଣକୁ ସମ୍ପ୍ରସାରିତ ହୋଇ ହିଂସାତ୍ମକ ରୂପ ନିଏ। ଯୁକ୍ତ୨ ସ୍କୁଲର ଅଂଶବିଶେଷ ହୋଇଥିବାରୁ ତାହା ସ୍କୁଲ ନିର୍ଘଣ୍ଟ ଅନୁଯାୟୀ ପଢ଼ା ହେବା ବଦଳରେ କଲେଜ ନିର୍ଘଣ୍ଟ ଅନୁଯାୟୀ ଅଳ୍ପ ସଂଖ୍ୟକ ଶ୍ରେଣୀ ଶିକ୍ଷା ମାଧ୍ୟମରେ ସମାପନ ହୁଏ। ଦୁଇଟି ଶ୍ରେଣୀ ପାଇଁ ଗୋଟିଏ ଅନୁଷ୍ଠାନ ପରିବର୍ତ୍ତେ ନିକଟତମ ସ୍କୁଲ ସହ ତା’ ମିଶି ଯାଇଥିଲେ, ଶୈକ୍ଷିକ ଓ ଅଣଶୈକ୍ଷିକ ମାନବସମ୍ବଳର ଯଥାଯଥଃ ଉପଯୋଗ ସହ ଅନେକ ଏଷ୍ଟାବ୍ଲିଶମେଣ୍ଟ ଖର୍ଚ୍ଚ କମିଯାଆନ୍ତା। ଏହାଛଡ଼ା ଯୁକ୍ତ ୨ ସ୍ତରରେ ନିୟୋଜିତ କିଛି ଉନ୍ନତମାନର ଶିକ୍ଷକଙ୍କ ଶିକ୍ଷାଦାନର ଲାଭ ନବମ ଓ ଦଶମ ଶ୍ରେଣୀର ଛାତ୍ରୀଛାତ୍ର ପାଇପାରନ୍ତେ। ଏବେ ପୁଣି ନୂତନ ଜାତୀୟ ଶିକ୍ଷାନୀତି ଆସିଲାଣି, ଯେଉଁଥିରେ ଅଙ୍ଗନଓ୍ବାଡି଼ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ାକୁ ଗୋଟିଏ ପରିସରକୁ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦେଖାଯାଉ ତାହା ହେବାକୁ କେତେ ଦଶନ୍ଧି ଲାଗୁଛି। ଏଥିସହିତ ପୁଣି ନୂଆ ବିବାଦର ସୂତ୍ରପାତ ହେବାକୁ ଯାଉଛି। ଗଣଶିକ୍ଷା ବିଭାଗ ସିଦ୍ଧାନ୍ତ ନେଇଛନ୍ତି ଯେ ଯୁକ୍ତ୨ କଲେଜର ତଦାରଖ ଜିଲା ଶିକ୍ଷାଧିକାରୀ କରିବେ। ପ୍ରସଙ୍ଗତଃ ଉଲ୍ଲେଖଯୋଗ୍ୟ ଯେ ସରକାରୀ ଓ ବେସରକାରୀ ସାହାଯ୍ୟପ୍ରାପ୍ତ ପାଖାପାଖି ୩୦୦ କଲେଜରେ ଯୁକ୍ତ୨ ଓ ଯୁକ୍ତ୩ ମିଶିକରି ରହିଛି, ଯାହାର ଅଧ୍ୟକ୍ଷମାନେ ଯୋଗ୍ୟତା, ଚାକିରିକାଳ ଓ ଦରମାରେ ଜିଲା ଶିକ୍ଷାଧିକାରୀଠୁ ବହୁତ ଊର୍ଦ୍ଧ୍ୱରେ। ସେମାନେ ଜିଲା ଶିକ୍ଷାଧିକାରୀଙ୍କ ପରିଦର୍ଶନ ଓ ତଦାରଖକୁ ମାନିବେ ନାହଁ। ଅଯଥା କଳହର ବୀଜ ବପନ କରାଯାଉଛି। ଯୁକ୍ତ୨ ଓ ଯୁକ୍ତ୩ ପୃଥକ ନ ହେଲେ ଏପରି ଅଘଟଣ ଆଗକୁ ଘଟିବ। ହେଲେ ଏ କଥାକୁ ଭାବିବ କିଏ? ବିଭାଗ ତ ଘୋର ନିଦରେ।
ଖାଲି ଯୁକ୍ତ୨ ଓ ଯୁକ୍ତ୩ର ପୃଥକୀରଣ ନୁହେଁ; ଶିକ୍ଷକ ପଦବୀ ପୂରଣ, ଅଣଶିକ୍ଷକ ଯେପରି ଲାଇବ୍ରେରିଆନ, ଲାବରେଟୋରି ଆସିଷ୍ଟାଣ୍ଟ, ଅଫିସ କିରାଣି, ଆବଶ୍ୟକ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ପୂରଣ ଦିଗରେ ଉଚ୍ଚଶିକ୍ଷା ବିଭାଗର ସାମାନ୍ୟତମ ପ୍ରତିକ୍ରିୟା ନାହିଁ। ଅନୁଷ୍ଠାନଗୁଡ଼ିକର ପାଠପଢ଼ା ଓ ରକ୍ଷଣାବେକ୍ଷଣର ଦାୟିତ୍ୱ ବିଭାଗର ଯେପରି ନୁହେଁ। ଅଥଚ ବିଡ଼ମ୍ବନା କ୍ରମରେ ଗଣଶିକ୍ଷା ବିଭାଗ ୬୩,୦୦୦ ଶିକ୍ଷକଙ୍କୁ ପଦୋନ୍ନତି ଦେବାକୁ ସିଦ୍ଧାନ୍ତ ନେଇଥିଲା ବେଳେ ୧୫୦୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସ୍କୁଲଗୁଡ଼ିକର ରକ୍ଷଣାବେକ୍ଷଣର ଦାୟିତ୍ୱ ଦେଇଛନ୍ତି। ୧୧୨୩ଟି ସ୍କୁଲକୁ ସ୍ମାର୍ଟ-ସ୍କୁଲକୁ ରୂପାନ୍ତରିତ କରିବାକୁ ଚେଷ୍ଟା ଚାଲିଛି। ଅଥଚ ଉଚ୍ଚଶିକ୍ଷା ବିଭାଗ ନିଜ ଅନୁଷ୍ଠାନଗୁଡ଼ିକରେ ଉନ୍ନତମାନର ଶିକ୍ଷାପ୍ରଦାନ ଓ ସ୍ବଚ୍ଛ ପରିବେଶ ଗଢ଼ିବାରେ ସାମାନ୍ୟତମ ନିଷ୍ଠା ପ୍ରକାଶ କରୁନାହାନ୍ତି। ହଜାର ହଜାର ତ ଦୂରର କଥା ଆପାତତଃ ସରକାରଙ୍କର ନିଜସ୍ବ ୫୦ଟି କଲେଜରେ ୫୦ଜଣ ଅଧ୍ୟାପକଙ୍କୁ ପଦୋନ୍ନତି ଦେଇ ୫୦ଜଣ ଅଧ୍ୟକ୍ଷ ନିଯୁକ୍ତି କରନ୍ତେ କି! ସରକାରଙ୍କ ନିଜ କଲେଜ ହିସାବରେ ସରକାରୀ କଲେଜରେ ଖାଲିଥିବା ହଜାରେରୁ କମ୍ ଅଧ୍ୟାପକ ପଦବୀ ପୂରଣ କରନ୍ତେ କି! ଏବେ ମାନବ ସମ୍ବଳ ଅପେକ୍ଷା ଇଟା, ବାଲି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ବିଶ୍ୱବ୍ୟାଙ୍କରୁ ଋଣଆଣି ଏବଂ କେନ୍ଦ୍ର ସରକାରଙ୍କ ରୁଷା ଅନୁଦାନରେ ଖାଲି କୋଠା ଗଢ଼ାଯାଉଛି। ପାଠ ପଢ଼େଇବାକୁ ଶିକ୍ଷକ ଅବା ଶୈକ୍ଷିକ କର୍ମଚାରୀ ନାହାନ୍ତି; ଘର ସଫା କରିବାକୁ, କ୍ଲାସ ଆରମ୍ଭ / ଶେଷ ଘଣ୍ଟି ବଜେଇବାକୁ ଲୋକ ନାହାନ୍ତି। ଖାଲି କ୍ଲାସ ପିଛା ୫୦୦ଟଙ୍କା ‘ମଜୁରି’ରେ ଅତିଥି ଅଧ୍ୟାପକ ନିଯୁକ୍ତି କରିଦେଲେ କଥା ସରିଲା।
ଏ ପ୍ରକାର ସୁଖ ନିଦ୍ରାର କାରଣ ବିଭାଗର କକ୍ଷଚ୍ୟୁତି। ଅନୁଷ୍ଠାନଗୁଡ଼ିକୁ ନେଇ ବିଭାଗ। ଅଥଚ ବିଭାଗ ତା’ ଅଧୀନ ଅନୁଷ୍ଠାନଗୁଡ଼ିକର ଗୁଣାତ୍ମକ ସୁପରିଚାଳନା ଅପେକ୍ଷା ଅଯଥା କର୍ମରେ ଲିପ୍ତ ରହୁଛି। ଯାହା ଦିନେ କଲେଜଗୁଡ଼ିକୁ ଉପହାସ କରି କୁହାଯାଉଥିଲା ଅର୍ଥାତ୍ କଲେଜଗୁଡ଼ିକ ମୁଖ୍ୟ କାର୍ଯ୍ୟ ଶିକ୍ଷାଦାନ ଅପେକ୍ଷା ଗୌଣ କାର୍ଯ୍ୟ- ଆଡମିସନ, ଇଲେକ୍ସନ, ଏକ୍ଜାମିନେସନ୍, ଭାଲୁଏସନ୍, ପବ୍ଲିକେସନ ଅଫ୍ ରେଜଲ୍ଟ- ଏହି ‘ସନ୍’ ଗୁଡ଼ିକ ଭିତରେ ଅଧିକ ସୀମାବଦ୍ଧ; ଠିକ୍ ସେହିପରି ଭାବରେ ଉଚ୍ଚଶିକ୍ଷା ବିଭାଗ ଆଜି କଲେଜଗୁଡ଼ିକର ସୁପରିଚାଳନା ଅପେକ୍ଷା ନିଜେ କଲେଜଗୁଡ଼ିକରେ ଆଡ୍ମିସନ୍, ପ୍ରବେଶିକା ପରୀକ୍ଷା ପରିଚାଳନା, ଫଳ ପ୍ରକାଶନ, ଏପରିକି ସିଲାବସ ପ୍ରଣୟନରେ ବ୍ୟସ୍ତ। ଏଗୁଡ଼ିକ ଅଣପ୍ରଶାସନିକ କାର୍ଯ୍ୟ। ଏହା ମୂଳତଃ ଶୈକ୍ଷିକ କାର୍ଯ୍ୟ। ଏହା କଲେଜ ବା ବିଶ୍ୱବିଦ୍ୟାଳୟ ଅବା ଏକ ସ୍ବୟଂଶାସିତ ସଂସ୍ଥାକୁ ଛାଡ଼ିଦେଇ ବିଭାଗ ଯେଉଁଥିପାଇଁ ସୃଷ୍ଟ, ତା’ର ମୌଳିକ କାର୍ଯ୍ୟରେ ନିୟୋଜିତ ରହୁ। କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ କ’ଣ ତାଙ୍କ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନଗୁଡ଼ିକର ଆଡମିସନ୍ ଓ ପ୍ରବେଶିକା ପରୀକ୍ଷା ପରିଚାଳନା କରୁଛି? ଓଡ଼ିଶାର ଉଚ୍ଚ ବିଭାଗ କାହିଁକି ତା’ର ଆତ୍ମସମ୍ମାନ ରକ୍ଷା କରୁନାହିଁ ? ଉଚ୍ଚଶିକ୍ଷା ବିଭାଗର କର୍ତ୍ତୃପକ୍ଷଙ୍କୁ ଅନୁରୋଧ, ନ୍ୟାଶନାଲ ଟେଷ୍ଟି ଏଜେନ୍ସି ଭଳି ରାଜ୍ୟରେ ଷ୍ଟେଟ୍ ଟେଷ୍ଟି ଏଜେନସିଂ ନାମକରେ ଏକ ସ୍ବୟଂଶାସିତ ପାରଦର୍ଶୀ ଅନୁଷ୍ଠାନଟି ଗଢ଼ି, ତାକୁ ଉଭୟ ସାମ୍ସ ଆଡମିଶନ ଏବଂ ଯାବତୀୟ ପ୍ରବେଶିକା ପରୀକ୍ଷାର ଦାୟିତ୍ୱ ଦିଅନ୍ତୁ। ଉଚ୍ଚଶିକ୍ଷା ବିଭାଗରେ ଏହାହିଁ ୫-ଟିର ଏକ ଉପଯୁକ୍ତ ପ୍ରତିଫଳନ ହେବ। ବିଭାଗ ଅଣପ୍ରଶାସନିକ କର୍ମରେ ଲିପ୍ତ ରହି ନିଜର ପଦମର୍ଯ୍ୟାଦା ହାନି ନ କରୁ।
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ୍, ବାଲେଶ୍ୱର, ମୋ: ୯୪୩୭୩୭୬୨୧୯ subashbls56@gmail.com