ଏମିତି ଦେଶ, ଯେଉଁଠି ଦୋଷୀଙ୍କୁ ମିଳିଥାଏ ସର୍ବାଧିକ ମୃତ୍ୟୁଦଣ୍ଡ ସାଉଦିଆରବ ବି ପଡ଼ିଯିବ ପଛରେ…

ଇସଲାମାବାଦ,୧୧ା୧୦: ବିଶ୍ୱରେ ଏମିତି ଏକ ଦେଶ ଅଛି, ଯେଉଁଠି ଦୋଷୀମାନଙ୍କୁ ସର୍ବାଧିକ ମୃତ୍ୟୁଦଣ୍ଡ ମିଳିଥାଏ। ସେହି ଦେଶ ହେଲା ପାକିସ୍ତାନ। ବିଶ୍ୱବ୍ୟାପୀ ମୃତ୍ୟୁଦଣ୍ଡ ଭୋଗୁଥିବା ୨୬ ପ୍ରତିଶତ କଏଦୀ କେବଳ ପାକିସ୍ତାନରେ ଅଛନ୍ତି। ଗୁରୁବାର ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଲିଗାଲ ଆକ୍ସନ ଗ୍ରୁପ୍‌ ଜଷ୍ଟିସ୍‌ ପ୍ରୋଜେକ୍ଟ ପାକିସ୍ତାନ (ଜେପିପି) ଏହାର ବାର୍ଷିକ ରିପୋର୍ଟରେ କହିଛି, ୨୦୨୪ରେ ସମୁଦାୟ ୬,୧୬୧ କଏଦୀ ମୃତ୍ୟୁଦଣ୍ଡର ସମ୍ମୁଖୀନ ହୋଇଥିବାବେଳେ ୨୦୨୩ରେ ଏହି ସଂଖ୍ୟା ୬୦୩୯ ଥିଲା। ଏହି ସଂଖ୍ୟା ପୂର୍ବ ଧାରାଠାରୁ ଭିନ୍ନ, ଯେତେବେଳେ ୨୦୨୨ରେ ମୃତ୍ୟୁଦଣ୍ଡର ସମ୍ମୁଖୀନ ହୋଇଥିବା ଲୋକଙ୍କ ସଂଖ୍ୟା ୩୨୨୬ଥିଲା।

ଲାହୋରସ୍ଥିତ ଏନଜିଓ ଏହାର ବାର୍ଷିକ ରିପୋର୍ଟର ତୃତୀୟ ସଂସ୍କରଣ ‘ପାକିସ୍ତାନରେ ମୃତ୍ୟୁଦଣ୍ଡ’ ମୃତ୍ୟୁଦଣ୍ଡର ଡାଟା ଆନାଲିସିସ୍‌’ ଶୀର୍ଷକ ପ୍ରକାଶ କରିଛି। ଏଭଳି କଏଦୀମାନଙ୍କ ମଧ୍ୟରୁ ସର୍ବାଧିକ ପଞ୍ଜାବ ପ୍ରଦେଶରେ ୨,୫୦୫ରେ ଅଛନ୍ତି, ତା’ପରେ ଖାଇବର ପାଖତୁନ୍‌ଖଓ୍ବା ପ୍ରଦେଶରେ ୨,୩୧୧ କଏଦୀ ଅଛନ୍ତି। ପରିସଂଖ୍ୟାନ କହୁଛି ବିଶ୍ୱବ୍ୟାପୀ ମୃତ୍ୟୁଦଣ୍ଡ ଭୋଗୁଥିବା ୨୬ ପ୍ରତିଶତ କଏଦୀ ପାକିସ୍ତାନରେ ଅଛନ୍ତି।

ଜେପିପି ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ପାକିସ୍ତାନରେ ମୃତ୍ୟୁଦଣ୍ଡ ପାଇଥିବା ଲୋକଙ୍କ ସଂଖ୍ୟା ୧୩ ପ୍ରତିଶତ। ଏନ୍‌ଜିଓର ରିପୋର୍ଟ ଅନୁଯାୟୀ, ୨୦୦୪ରୁ ପାକିସ୍ତାନରେ ଅତି କମ୍‌ରେ ୪୫୦୦ ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଅର୍ଥାତ ହାରାହାରି, କୋର୍ଟ ପ୍ରତିଦିନ ଏହି ଦଣ୍ଡାଦେଶ ଶୁଣାଇଥିଲେ। ବିଶ୍ୱର ଅଦାଲତ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିବା ପ୍ରତ୍ୟେକ ସପ୍ତମ ବ୍ୟକ୍ତି ଏବଂ ବିଶ୍ୱ ବ୍ୟାପୀ ମୃତ୍ୟୁଦଣ୍ଡ ପାଇଥିବା ପ୍ରତ୍ୟେକ ଅଷ୍ଟମ ବ୍ୟକ୍ତି ଜଣେ ପାକିସ୍ତାନୀ।

ଏହି ରିପୋର୍ଟରେ କୁହାଯାଇଛି, ପାକିସ୍ତାନକୁ ବିଶ୍ୱରେ ମୃତ୍ୟୁଦଣ୍ଡକୁ ସର୍ବାଧିକ ବ୍ୟବହାର କରୁଥିବା ଦେଶମାନଙ୍କ ମଧ୍ୟରୁ ଏକ ବୋଲି ବର୍ଣ୍ଣନା କରାଯାଇଛି। ଯାହାକି ଏକ ଚିନ୍ତାର ବିଷୟ। ଏଥିରେ ତୁରନ୍ତ ଉନ୍ନତିର ଆବଶ୍ୟକତା ଅଛି। ରିପୋର୍ଟରେ କୁହାଯାଇଛି, ଡିସେମ୍ବର ୨୦୧୯ପରଠାରୁ ପାକିସ୍ତାନ ମୃତ୍ୟୁଦଣ୍ଡ ଦେଇନାହିଁ, କିନ୍ତୁ ଏହା ମୃତ୍ୟୁଦଣ୍ଡର ସର୍ବାଧିକ ବ୍ୟବହାରକାରୀମାନଙ୍କ ମଧ୍ୟରୁ ଅନ୍ୟତମ। ଯେଉଁଠାରେ ୩୧ରୁ ଅଧିକ ଅପରାଧ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ଅଛି।

Share