ମାଘରେ ତାତିଲା ଭୁବନେଶ୍ୱର, ଏବେ ଠୁ ୩୫ ଡିଗ୍ରୀ ଉପରେ ୧୫ସହର

ଭୁବନେଶ୍ୱର,୨୦।୨(ଅସମାପିକା ସାହୁ): ବୈଶାଖ-ଜ୍ୟେଷ୍ଠ ମାସ ଆସିବାକୁ ଆହୁରି ଢେର ସମୟ ବାକିଥିବାବେଳେ ଏବେ ଚାଲିଛି ମାଘ। ତା’ପରେ ଆସିବ ଫାଲଗୁନ ଓ ଚୈତ୍ର। ତା’ପରେ ଯାଇ ଆସିବ ବୈଶାଖ। କିନ୍ତୁ ଏବେଠୁ ଦାଉ ସାଜିଲାଣି ଖରା। ଆଜି ରାଜ୍ୟର ୧୫ଟି ସହରର ସର୍ବୋଚ୍ଚ ଦିନ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ବା ତା’ ଉପରେ ରେକର୍ଡ ହୋଇଛି। ଆଉ ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ୱର। ଏଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି।

ରାଜଧାନୀ ଭୁବନେଶ୍ୱର ତଳକୁ ରହିଛି ବୌଦ୍ଧ। ଏଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ଭବାନୀପାଟଣାରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୫.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡା ୩୫.୬, ପାରଲାଖେମୁଣ୍ଡିରେ ୩୫.୬, ଟିଟିଲାଗଡ ୩୫.୫, ନୟାଗଡ ୩୫.୫, ଜଗତସିଂହପୁରରେ ୩୫.୫, ବଲାଙ୍ଗିରରେ ୩୫.୩, ଅନୁଗୋଳରେ ୩୫.୧, ମାଲକାନଗିରିରେ ୩୫, ତାଳଚେରରେ ୩୫, ଚାନ୍ଦବାଲିରେ ୩୫ ଓ ବାଲେଶ୍ୱରରେ ୩୫ ଡିଗ୍ରୀ ରହିଥିଲା। ଅନ୍ୟପକ୍ଷରେ କଟକରେ ଆଜି ସର୍ବୋଚ୍ଚ ଦିନ ତାପମାତ୍ରା ୩୪.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Share