Categories: ଜାତୀୟ

ଭାରତୀୟ ଛାତ୍ରୀଛାତ୍ରଙ୍କ ପାଇଁ ମଶାଣି ପାଲଟିଛି ବିଦେଶ ମାଟି: କାନାଡାରେ ସର୍ବାଧିକ ମୃତ୍ୟୁ

ନୂଆଦିଲ୍ଲୀ,୯।୧୨: ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଉଛନ୍ତି ଭାରତୀୟ ଛାତ୍ରୀଛାତ୍ର। ସ୍ବପ୍ନର ବିଡା ମୁଣ୍ଡରେ ଲଦିବା ସହ କେଇ ମୁଠା ଆଶାରେ ଘର ଠୁ ବାହାରେ ରହି ପାଠ ପଢୁଛନ୍ତି। ହେଲେ ବାପାମାଆଙ୍କ ଆଶା ନେଇ ବାହାରକୁ ପଢିବାକୁ ଯାଇଥିବା ସନ୍ତାନ ପାଇଁ ତାହା ଯଦି ମୃତ୍ୟୁଘାଟ ହେଲା! ଭାରତୀୟ ଛାତ୍ରଙ୍କ ପାଇଁ ମଶାଣି ପାଲଟିଛି ବିଦେଶ। ଏକଥା ଆମେ ନୁହେଁ ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର।

ଏ ସମ୍ପର୍କିତ ସଚନା ଦେଇଛନ୍ତି କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ମୁରଲୀଧରନ। ସଂସଦର ଶୀତକାଳୀନ ଅଧିବେଶନରେ ରାଜସ୍ୟଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏପରି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛନ୍ତି। ବିଗତ ପାଞ୍ଚ ବର୍ଷ ମଧ୍ୟରେ ବିଦେଶରେ ୪୦୩ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି। ୨୦୧୮ରୁ ଆଜି ଯାଏଁ କେବଳ କାନାଡାରେ ହିଁ ୯୧ଜଣ ଭାରତୀୟ ଛାତ୍ରୀଛାତ୍ରଙ୍କର ମୃତ୍ୟୁ ହୋଇଛି। ଯାହାକି ସବୁ ଦେଶର ମୃତ୍ୟୁସଂଖ୍ୟା ଠାରୁ ସର୍ବାଧିକ। ରେକର୍ଡ ମୁତାବିକ କାନାଡାରେ ୪୮ଜଣ, ଋଷିଆରେ ୪୦, ୟୁଏସରେ ୩୬, ଅଷ୍ଟ୍ରେଲିଆରେ ୩୫, ୟୁକ୍ରେନରେ ୨୧ ଓ ଜର୍ମାନୀରେ ୨୦ଜଣ ଭାରତୀୟ ଛାତ୍ରୀଛାତ୍ରଙ୍କର ମୃତ୍ୟୁ ହୋଇଛି।

ମୁରଲୀଧରନ କହିଛନ୍ତି, ବିଦେଶରେ ଭାରତୀୟ ଛାତ୍ରଙ୍କ ସୁରକ୍ଷା ଭାରତ ସରକାରଙ୍କ ପାଇଁ ପ୍ରଥମ ପ୍ରାଥମିକତା ଅଟେ। ଏଥିପାଇଁ ବରିଷ୍ଠ ଅଧିକାରୀମାନେ ଭାରତୀୟ ଛାତ୍ର ଏବଂ ସେମାନଙ୍କ ସଂସ୍ଥା ସହ ନିୟମିତ ଯୋଗାଯୋଗ କରୁଛନ୍ତି।

 

Share