କରୋନା ମୁକାବିଲା: ଗଜପତି ଜିଲାରେ ସର୍ବାଧିକ ୬୪.୬୭% ଆଣ୍ଟିବଡି ସୃଷ୍ଟି

ଭୁବନେଶ୍ୱର,୨।୧୦(ବ୍ୟୁରୋ): ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲା ପରେ ଏବେ ଗଜପତି ଜିଲାରେ ସେରୋ ସର୍ଭେ କାର୍ଯ୍ୟ ଶେଷ ହୋଇଛି। ଏହି ଜିଲାରୁ ରାଜ୍ୟର ସର୍ବାଧିକ ୬୫% ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି। ଟେଷ୍ଟ୍‌ ସମୟରେ ସର୍ବନିମ୍ନ ୪୪ ଓ ସର୍ବାଧିକ ୯୨% ପର୍ଯ୍ୟନ୍ତ ଆଣ୍ଟିବଡି ବଢ଼ିଥିବା ପରିଲକ୍ଷିତ ହୋଇଛି ବୋଲି ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର(ଆର୍‌ଏମ୍‌ଆର୍‌ସି) ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି ସୂଚନା ଦେଇଛନ୍ତି।
କୋଭିଡ୍‌ ସଂକ୍ରାନ୍ତରେ ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଡା. ପତି କହିଛନ୍ତି, ସେପ୍ଟେମ୍ବର ୧୫ ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲାରେ ଏହି ସେରୋ ସର୍ଭେ କରାଯାଇଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକକ୍ରମେ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥା ଜିଲା ପ୍ରଶାସନର ସହଯୋଗରେ ଆର୍‌ଏମ୍‌ଆର୍‌ସିର ୫ଟି ଦଳ ପର୍ଯ୍ୟାୟ କ୍ରମେ ସେରୋ ନମୁନା ସଂଗ୍ରହ କରିଥିଲା। ଜିଲାର ବିଭିନ୍ନ ଗୋଷ୍ଠୀରୁ ୯୮୪ ଏବଂ ଅତି ସମ୍ବେଦନଶୀଳ ଲୋକଙ୍କ ମଧ୍ୟରୁ ୫୩୧ ଜଣଙ୍କୁ ମିଶାଇ ସମୁଦାୟ ୧୫୧୫ ନମୁନା ସଂଗ୍ରହ କରାଯାଇଥିଲା। ନମୁନା ପରୀକ୍ଷଣରୁ ଜଣାପଡ଼ିଛି ଯେ, ଜିଲାରେ ୬୪.୬୭% ବା ଦୁଇ-ତୃତୀୟାଂଶ ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି। ସେହିପରି କୋଭିଡ୍‌ ଯୋଦ୍ଧାଙ୍କ ମଧ୍ୟରେ ୫୪ ପ୍ରତିଶତ ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ମଧ୍ୟରେ ୫୦ ପ୍ରତିଶତଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିଛି। ଆଜି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କରାଯାଇଥିବା ସେରୋ ସର୍ଭେ ମଧ୍ୟରେ ଏହି ଫଳାଫଳ ସର୍ବାଧିକ ବୋଲି ଡା. ପତି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ୯୫ ପ୍ରତିଶତ ଲୋକଙ୍କ ମଧ୍ୟରେ କୌଣସି ଲକ୍ଷଣ ନ ଥିଲା। ପ୍ରଥମଥର ପାଇଁ ମା’ ଓ ଭଉଣୀଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ଆଶାତୀତ ଭାବେ ବୃଦ୍ଧି ପାଇଥିବାର ଜଣାପଡ଼ିଛି। ଅକ୍ଟୋବର ୫ରୁ ମାଲକାନଗିରି ଜିଲାରେ ଏହିଭଳି ସେରୋ ସର୍ଭେ କାର୍ଯ୍ୟ ଆରମ୍ଭ ହେବ। ପରେ ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟରେ ଏବଂ କଟକରେ ମଧ୍ୟ ଏହି ସେରୋ ସର୍ଭେ କରାଯିବ। ନିୟମିତ ବ୍ୟବଧାନରେ ସେରୋ ସର୍ଭେ କରିବାରେ ଭାରତର କେତେକ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ। ଏହି ସର୍ଭେ ଦ୍ୱାରା କୋଭିଡ୍‌-୧୯ ବିରୋଧରେ ସାମୂହିକ ପ୍ରତିରୋଧକ ଶକ୍ତି ସମ୍ପର୍କରେ ଧାରଣା ମିଳିଥାଏ ବୋଲି ଡା. ପତି କହିଛନ୍ତି।

Share